ଅଗରତାଲା,୨୨।୬: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କ ଉପସ୍ଥିତିରେ ଚାଲିଥିବା ବୃକ୍ଷରୋପଣ ଅଭିଯାନରେ ଗୋଟିଏ ମିନିଟ୍ରେ ପ୍ରାୟ ୬ ହଜାର ୫ ଶହ ବୃକ୍ଷରୋପଣ କରି ତ୍ରିପୁରା ଇତିହାସ ରଚିଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ତ୍ରିପୁରାବାସୀ ଓ ସ୍କୁଲ ଛାତ୍ରୀଛାତ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତ୍ରିପୁରାକୁ ସବୁଜ ପ୍ରଦେଶ ବନାଇବାରେ ଏହା ବେଶ୍ ସହାୟକ ହେବ ବୋଲି ସେ କହିଛନ୍ତି। ଦିନକୁ ଦିନ ପୃଥିବୀର ତାପମାତ୍ରା ବୃଦ୍ଧି ପାଉଥିବାରୁ ସମସ୍ତେ ଗଛଟିଏ ଲଗାଇବା ଜରୁରୀ ବୋଲି ସେ କହିଛନ୍ତି। ସେଥିପାଇଁ ତ୍ରିପୁରା ସରକାର ଏହି ବୃକ୍ଷ ରୋପଣ ଅଭିଯାନ ଆରମ୍ଭ କରିଛନ୍ତି। ତେବେ ରାସ୍ତା କଡରେ ରହୁଥିବା ପାଖାପାଖି ୨ଲକ୍ଷ ଲୋକଙ୍କ ଘର ବାହାରେ ଗଛ ଲଗାଇଲେ ମାସକୁ ୨ଶହ ଟଙ୍କା ପ୍ରଦାନ କରାଯିବ। ସୂଚନାଯୋଗ୍ୟ, ଶନିବାର ତ୍ରିପୁରାର ଗୋମତି ଜିଲାରେ ପ୍ରଶାସନ ଓ ବନ ବିଭାଗ ସହଯୋଗରେ ବନ ମହୋତ୍ସବର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ଯୋଗ ଦେଇ ଗଛର ଉପକାରିତା ଓ ବୃକ୍ଷରୋପଣ ଭଳି ନୂଆ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ଏଥିରେ ବନ ବିଭଗର ବହୁ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ।