ବଅଁରପାଳ, ୩ା୬(ଡି.ଏନ.ଏ.) ବଅଁରପାଳ ବ୍ଲକ ବଳରାମପ୍ରସାଦ ଠାରେ ଥିବା ଯାତ୍ରୀ ବିଶ୍ରାମାଗାରଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏହାର ମରାମତି କରାଯାଉ ନ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ଦିନ ହେଲା ବିଶ୍ରାମାଗାରଟି ଶୋଚନୀୟ ଅବସ୍ଥାରେ ଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି।
ବଳରାମପ୍ରସାଦଠାରେ ଥିବା ବସ୍ଷ୍ଟାଣ୍ଡ ଉପରେ ବଳରାମପ୍ରସାଦ, ପାଟଣା ଭୋଗ ବେରଣୀ, ପାଣିଅଳା, କେନ୍ଦୁପଲି, ଟେଣ୍ଟୁଲୋଇ ସମେତ ଆଖପାଖ ଅଞ୍ଚଳର ଲୋକେ ଏଠାକୁ ଆସି ବିଭିନ୍ନ ସ୍ଥାନକୁ ବସ୍ ଧରିଥାନ୍ତି। ଅନୁଗୋଳ, ତାଳଚେର, କେନ୍ଦୁଝର, ରାଉରକେଲା, କଟକ ଆଦି ବିଭିନ୍ନ ସ୍ଥାନକୁ ବସ୍ ସହ ବହୁ ଛୋଟ ବଡ ଗାଡ଼ି ଯାଇଥାଏ। ପ୍ରତ୍ୟହ ଶତାଧିକ ଯାତ୍ରୀ ଏହି ବସ୍ଷ୍ଟାଣ୍ଡକୁ ଆସୁଥିବାବେଳେ ଏଠାରେ ଥିବା ବିଶ୍ରାମାଗାରଟି ବ୍ୟବହାର ଅନୁପଯୋଗୀ ହୋଇପଡିଛି। ବର୍ଷା ହେଲେ ଛାତରୁ ପାଣି ଗଳୁଥିବାରୁ ଲୋକେ ହଇରାଣ ହେଉଛନ୍ତି। ସେହିପରି ସେଠାରେ ଏକ ପରିସ୍ରାଗାରଟିଏ ମଧ୍ୟ ନ ଥିବାରୁ ଯାତ୍ରୀମାନେ ହଇରାଣ ହେଉଛନ୍ତି। ନାଲ୍କୋ ଆଶ୍ପଣ୍ଡ ନିକଟରେ ଏହି ବିଶ୍ରାମାଗାର ଥିବାରୁ ଏହା ପ୍ରକଳ୍ପ ପାରିପାର୍ଶ୍ୱିକ ଗ୍ରାମ ଅନ୍ତର୍ଭୂକ୍ତ। ତେଣୁ ଏହି ବସ୍ଷ୍ଟାଣ୍ଡର ଉନ୍ନତିକରଣ ସହ ଯାତ୍ରୀ ବିଶ୍ରାମାଗାରକୁ ମରାମତି ପାଇଁ ଗ୍ରାମବାସୀ ଦାବି କରିଛନ୍ତି।