ନୂଆଦିଲ୍ଲୀ, ୨।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶର ଅର୍ଥବ୍ୟବସ୍ଥା ଦୋହଲି ଯାଇଛି। ତେବେ ଖୁବ୍ ଶୀଘ୍ର ଏଥିରେ ସୁଧାର ଆସିବ। ଦେଶପୁଣି ବିକାଶ ପଥରେ ଅଗ୍ରସର ହେବ। ଆତ୍ମନିର୍ଭର ଭାରତ ପାଇଁ ସରକାରଙ୍କ ପକ୍ଷରୁ ୫-ଆଇ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିରେ ଇଛାଶକ୍ତି, ଅନ୍ତର୍ଭୁକ୍ତିକରଣ, ନିବେଶ, ଭିତ୍ତିଭୂମି ଏବଂ ନବୀକରଣକୁ ସ୍ଥାନ ଦିଆଯାଇଛି। ଭାରତୀୟ ଶିଳ୍ପସଂଘର ବାର୍ଷିକ ସମ୍ମିଳନୀରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କହିଛନ୍ତି। ଦେଶର ସ୍ବାଧୀନତା ପରେ କୃଷକଙ୍କ ହିତ ପାଇଁ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା। କିନ୍ତୁ ଏବେ ସରକାର ପ୍ରଚଳିତ ଆଇନରେ ଐତିହାସିକ ପରିବର୍ତ୍ତନ କରିଛନ୍ତି। କୃଷକ ଯେ କୌଣସି ସ୍ଥାନରେ ନିଜର ଅମଳ ଫସଲ ବିକ୍ରି କରିପାରିବେ। ସେହିପରି ସାମ୍ପ୍ରତିକ କରୋନା ମହାମାରୀ ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ୭୪ କୋଟି ଭାରତୀୟଙ୍କୁ ରାଶନ ଯୋଗାଇ ଦିଆଯାଇଛି। ଭିଟାମାଟିକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ମାଗଣାରେ ଖାଦ୍ୟଶସ୍ୟ ପ୍ରଦାନ କରାଯାଇଛି। ଇତିମଧ୍ୟରେ ୫୩ ହଜାର କୋଟି ଟଙ୍କା ଗରିବ ପରିବାରର ସଞ୍ଚୟ ଖାତାକୁ ଯାଇଛି। ବତ୍ତର୍ମାନର ସ୍ଥିତିରେ ସେ ଦେଶବାସୀଙ୍କ ସହିତ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଲୋକେ ବିକାଶ ରାସ୍ତାରେ ପାଦେ ଆଗେଇଲେ ସରକାର ୪ ପାଦ ଆଗେଇବେ ବୋଲି ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି।