ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ: ରୋଗୀଙ୍କୁ ଭାରରେ ବୋହିଲେ ପରିବାର ଲୋକେ

ରାୟଗଡା ଅଫିସ, ୨୬।୨: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ଶାଲି ପଞ୍ଚାୟତ ଟାମକଶିଳା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେବାରୁ ରୋଗୀଙ୍କୁ ଭାରରେ ବୋହିବାକୁ ପଡ଼ିଛି।
ମଙ୍ଗଳବାର ସନ୍ଧ୍ୟାରେ ନିଲାଈ କାଡ୍ରାକା(୨୨)ନିଜ ଘରେ ରୋଷେଇ କରୁଥିବା ବେଳେ ଲୁଗାରେ ନିଆଁ ଲାଗିଯାଇଥିଲା। ଫଳରେ ସେ ଚିତ୍କାରକରି ଘର ବାହାରକୁ ଦୌଡ଼ି ଆସିଥିଲେ। ପାଟି ଶୁଣି ପଡୋଶୀ ତାଙ୍କ ଦେହରେ ପାଣି ଢାଳିଥିଲେ। ତାଙ୍କ ଶରୀରର ପ୍ରାୟ ୨୦ ଭାଗ ଜଳିଯାଇଛି। ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା। ପ୍ରାୟ ୨ଘଣ୍ଟା ଅପେକ୍ଷା କରିବା ପରେ ଆମ୍ବୁଲାନ୍ସ ଆସିଲା ନାହିଁ। ଶେଷରେ ନିରାଶ ହୋଇ ଏକ କମ୍ବଳକୁ ବାଉଁଶରେ ବାନ୍ଧି ଭାରକରି ୨ କିମି ପାହାଡିଆ, ଘାଟି ରାସ୍ତା ଅତିକ୍ରମ କରି ଜାମ୍ବପଦର ଛକ ନିକଟକୁ ନେଇଥିଲେ। କୌଣସି ଏକ ସୁତ୍ରରୁ ଖବରପାଇ କଲ୍ୟାଣୀ ଯୁବଶକ୍ତି ସଂଗଠନ ସଭାପତି ଶଙ୍କର ଓ୍ବାଡକା ଏବଂ ଅନ୍ୟ ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାରକରି ଅଟୋ ଯୋଗେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ଜଣାପଡିଛି।

Share