Categories: ଫୁରସତ

ଆରବ ସାଗରରେ ୩୫୦ ବର୍ଷର ପୁରୁଣା କିଲ୍ଲା: ମିଳୁଛି ମଧୁର ଜଳ

ମୁମ୍ବାଇ: ଭାରତର କେତେକ ସ୍ଥାନରେ ରହସ୍ୟମୟ ପୁରୁଣା କିଲ୍ଲା ରହିଛି। ସେଥିମଧ୍ୟରୁ ମହାରାଷ୍ଟ୍ରର ରାୟଗଡ଼ ଜିଲାର ଉପକୂଳବର୍ତ୍ତୀ ଗାଁ ମୁରୁଦଠାରେ ଏକ ରହସ୍ୟମୟ ୩୫୦ ବର୍ଷର ପୁରୁଣା କିଲ୍ଲା ରହିଛି। ଆରବ ସାଗର ମଧ୍ୟରେ ଥିବା ଏହି କିଲ୍ଲାକୁ ଲୋକେ ମୁରୁଦ ଜଞ୍ଜିରା କିଲ୍ଲା କହିଥାନ୍ତି। ଚାରିପଟେ ସମୁଦ୍ର ଥିଲେ ମଧ୍ୟ କିଲ୍ଲା ଭିତରେ ମଧୁର ଜଳ ମିଳିଥାଏ। ଏହା କିପରି ସମ୍ଭବ ହେଉଛି ତାହାର ରହସ୍ୟ ଏବେ ମଧ୍ୟ ବୈଜ୍ଞାନିକଙ୍କୁ ଅଜଣା। ବ୍ରିଟିଶ୍‌, ପର୍ତ୍ତୁଗାଲ୍‌, ମୋଗଲ, ଶିବାଜୀ ମହାରାଜ, କାହ୍ନୋଜୀ ଆଙ୍ଗ୍ରେ, ଚିମ୍ମାଜୀ ଆପ୍ପା ଏବଂ ସମ୍ଭାଜୀ ମହାରାଜ ଏହି କିଲ୍ଲା ଜୟ କରିବା ଲାଗି ପ୍ରୟାସ କରିଥିଲେ ମଧ୍ୟ ଅସଫଳ ରହିଥିବା ଲୋକେ କୁହନ୍ତି। ତେଣୁ ଏହାକୁ କେତେକ ଅଜେୟ କିଲ୍ଲା ମଧ୍ୟ କହିଥାନ୍ତି। ଏହାର ନିର୍ମାଣ ୧୫ ଶତାବ୍ଦୀରେ ଅହମ୍ମଦନଗର ରାଜା ମଲ୍ଲକ ଅମ୍ବରଙ୍କ ଦ୍ୱାରା ହୋଇଥିଲା। କିଲ୍ଲା ଚାରିପଟେ ୪୦ ଫୁଟ ଉଚ୍ଚା ପ୍ରାଚୀର ରହିଛି। ୨୨ ଏକର ଜମିରେ ନିର୍ମିତ ହୋଇଥିବା ଏହି କିଲ୍ଲା ନିର୍ମାଣ ପାଇଁ ୨୨ ବର୍ଷ ଲାଗିଥିଲା। କିଲ୍ଲା ଭିତରରେ ୨୨ଟି ସୁରକ୍ଷା କେନ୍ଦ୍ର ରହିଛି। ଏବେ ମଧ୍ୟ ଏଠାରେ କେତେକ ପୁରୁଣା ତୋପ ରହିଛି।

Share