Categories: ଜାତୀୟ

ଆହତ ନୀଳ ଗାଈକୁ ମାଟିରେ ପୋତିଲା ପ୍ରଶାସନ: ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ପାଟନା,୯।୯: ଦେଶରେ ବନ୍ୟପ୍ରାଣୀଙ୍କ ବିଭିନ୍ନ ପ୍ରଜାତିଙ୍କ ସଂଖ୍ୟା କମିବାରେ ଲାଗିଛି। ଏପରିସ୍ଥଳେ ସେମାନଙ୍କୁ ସୁରକ୍ଷା ଦେବା ବଦଳରେ ବିହାର ପ୍ରଶାସନ ଓଲଟା କାମ କରିଛି। କିଛି ଦିନ ତଳେ ଏଠାରେ ଏକ ଆହତ ନୀଳ ଗାଈକୁ ଖାଲରେ ପକାଇ ପୋତି ଦିଆଯାଇଛି। ଏହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସ୍ଥାନୀୟ ଲୋକେ ଏଭଳି କ୍ରୁର ଦୃଶ୍ୟ ଦେଖୁଥିଲେ ମଧ୍ୟ ଏହାର ପ୍ରତିବାଦ କରୁ ନ ଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି। ପ୍ରଥମେ ନୀଳ ଗାଈକୁ ଗୁଳି ମରାଯିବା ପରେ ତାହାର ମୃତ୍ୟୁ ନ ହେବାରୁ ତାକୁ ଆହତ ଅବସ୍ଥାରେ ମାଟିରେ ପୋତି ଦିଆଯାଉଛି। ଏହି ଭିଡ଼ିଓ ଭାଇରାଲ ହେବା ପରେ ସରକାର ଚିନ୍ତାରେ ପଡ଼ିଛନ୍ତି। କିଛି ଦିନ ତଳେ ବୈଶାଳୀ ଜିଲାର କିଛି ଚାଷୀ ନୀଳ ଗାଈ ସେମାନଙ୍କ ଫସଲ ନଷ୍ଟ କରୁଥିବା ଅଭିଯୋଗ କରିଥିଲେ। ଏନେଇ ସ୍ଥାନୀୟ ବିଧାୟକ ରାଜକିଶୋର ସିଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରଥିଲେ। ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ପେଶାଦାର ସୁଟରଙ୍କୁ ଭଡ଼ାରେ ଅଣାଯାଇଥିଲା। ଗତ ୪ ଦିନ ମଧ୍ୟରେ ରାଜ୍ୟରେ ୩ ଶହ ନୀଳ ଗାଈଙ୍କୁ ହତ୍ୟା କରାଯାଇଛି। କେତେକ ନୀଳ ଗାଈଙ୍କୁ ରାଜ୍ୟ ବନ ବିଭାଗ ମଧ୍ୟ ଗୁଳି କରିଥିବା କୁହାଯାଉଛି।

Share