ଏଆଇସିସି, ପିସିସି ମଧ୍ୟରେ ସମନ୍ବୟ ନାହିଁ: ସୁର

ଭୁବନେଶ୍ୱର,୧୫-୧(ବ୍ୟୁରୋ): କଂଗ୍ରେସରେ ନେତୃତ୍ୱକୁ ନେଇ ବିବାଦ ତୁଟିବାର ନାଁ ଧରୁନାହିଁ। ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପରିବର୍ତ୍ତନକୁ ନେଇ ବିବାଦ ଲାଗି ରହିଥିବାବେଳେ ବର୍ତ୍ତମାନ ଆଉ ଏକ ନୂଆ ସମସ୍ୟା ମୁଣ୍ଡ ଟେକିଛି। ଯୁବ କଂଗ୍ରେସ ସଭାପତି ପଦକୁ ନେଇ ମଧ୍ୟ ଦଳ ଭିତରେ ଜଟିଳ ପରିସ୍ଥିତି ସୃଷ୍ଟି ହେଲାଣି। ଦଳରେ ନୂଆ ଯୁବ ସଭାପତି ଚୟନକୁ ନେଇ ନେତାମାନଙ୍କ ମଧ୍ୟରେ ଭାଗଭାଗ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଗୋଷ୍ଠୀ କନ୍ଦଳ ରାଜନୀତିକୁ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କଡ଼ା ସମାଲୋଚନା କରିଛନ୍ତି। ସୁର କହିଛନ୍ତି ଯେ, ଦଳରେ ଯଦି ଜଣେ ନୂଆ ସଭାପତି ହେଲା ତା’ ପରଦିନ ପଞ୍ଝେ ତାଙ୍କୁ ତଡ଼ିବା ପାଇଁ ଲାଗିପଡ଼ିବେ। ଆମ ଚରିତ୍ର ହେଉଛି ଏମିତି। ଦଳରେ କିଛି ନ ଥିବା ନେତା କହୁଛନ୍ତି ପିସିସି ସଭାପତି ହେବେ। ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଏବଂ ପିସିସି ମଧ୍ୟରେ ସମନ୍ବୟ ରଖି କାମ କରାଯିବା ଆବଶ୍ୟକ। ଦଳରେ ଯୁବ, ମହିଳା ଏବଂ ଛାତ୍ର ସଭାପତି ଚୟନ ହେବା ଆବଶ୍ୟକ। ପିସିସି ସଭାପତି ମଧ୍ୟ ପରିବର୍ତ୍ତନ ହେବା ଦରକାର। ଏଆଇସିସି ଏବଂ ପିସିସି ମଧ୍ୟରେ କେମିତି ସମନ୍ବୟ ରହି କାମ ହେବ ସେନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜଣାଯିବ ବୋଲି ସୁର କହିଛନ୍ତି।

Share