ମୁମ୍ବାଇ,୧।୭: ମହାରାଷ୍ଟ୍ରରେ ଏଣିକି ପୋଲିସ କର୍ମଚାରୀ ନିଜସ୍ବ ଗାଡିରେ ପୋଲିସ ଷ୍ଟିକର ଲଗାଇପାରିବେନି। ଯଦି କୌଣସି ବ୍ୟକ୍ତି ଲଗାନ୍ତି ତାହେଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁମ୍ବାଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଅନୁସାରେ, ଯଦି ପୋଲିସ କର୍ମଚାରୀଙ୍କ ନିଜସ୍ବ ଗାଡ଼ିରେ ପୋଲିସ ଲେଖା କିମ୍ବା ପୋଲିସ ମାନଚିହ୍ନ ରହିଥିବା ନେଇ ଦେଖିବାକୁ ମିଳେ ତାହେଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଜେଲ୍ ଦଣ୍ଡାଦେଶ ଭୋଗିବାକୁ ପଡ଼ିବ। ଏହିଭଳି ଗାଡ଼ିଗୁଡ଼ିକରେ ପୋଲିସ ଷ୍ଟିକର ଲଗାଇବା ବେଆଇନ ବୋଲି କୋର୍ଟ କହିଛନ୍ତି। କେବଳ ପୋଲିସ ବିଭାଗ ଗାଡ଼ିଗୁଡ଼ିକରେ ହିଁ ଷ୍ଟିକର ଲଗାଇବା ପାଇଁ ଅନୁମତି ଦିଆଯିବ। କାରଣ ବଡ଼ ବଡ଼ ମହାନଗରରେ ଏହି ଷ୍ଟିକର ଲାଗିଥିବା ଗାଡ଼ିଗୁଡ଼ିକର ଦୂରୁପଯୋଗ ହୋଇଥାଏ। ଏହି ଗାଡ଼ିଗୁଡ଼ିକୁ ସହଜରେ ଯେକୌଣସି ସ୍ଥାନରେ ପାର୍କିଂ କରାଯିବା ସହ କ୍ରାଇମ୍ ପାଇଁ ମଧ୍ୟ ବ୍ୟବହାର କରାଯାଇପାରେ। ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏଭଳି ରାୟ ଶୁଣାଇଛନ୍ତି।