ରୋମ୍,୧୮ା୫ (ଏ.ଏଫ୍.ପି.)-ଡାହାଣ ଗୋଡ଼ରେ ଆଘାତପ୍ରାପ୍ତ ଯୋଗୁ ବିଶ୍ୱର ୩ ନମ୍ବର ଖେଳାଳି ରୋଜର ଫେଡରର ଏଠାରେ ଚାଲିଥିବା ଇଟାଲିଆନ ଓପନ ଟେନିସ ଟୁର୍ନାମେଣ୍ଟ କ୍ୱାର୍ଟର ଫାଇନାଲ ମ୍ୟାଚରୁ ଓହରିଯାଇଛନ୍ତି। ଏଠାରେ ୪ଥର ଫାଇନାଲିଷ୍ଟ ସେମିଫାଇନାଲରେ ପ୍ରବେଶ ପାଇଁ ୮ମ ସିଡ୍ ଗ୍ରୀକ୍ ଖେଳାଳି ଷ୍ଟିଫାନସ ତିସିତ୍ପାସଙ୍କୁ ଭେଟିଥାନ୍ତେ। ସୁଇଜରଲାଣ୍ଡର ଏହି ୨୦ଥର ଗ୍ରାଣ୍ଡସ୍ଲାମ ବିଜେତା ୨୦୧୫ପରେ ପ୍ରଥମ ଥର ଫ୍ରେଞ୍ଚ ଓପନକୁ ପ୍ରତ୍ୟାବର୍ତ୍ତନ ଲାଗି ପ୍ରସ୍ତୁତିର ଅଂଶବିଶେଷ ଇଟାଲିଆନ ଓପନ ଖେଳୁଥିଲେ। ଫେଡରର କହିଛନ୍ତି, ମୁଁ ଶତପ୍ରତିଶତ ଫିଟ୍ ଅନୁଭବ କରୁ ନ ଥିବାରୁ ଦୁଃଖର ସହିତ ମ୍ୟାଚରୁ ଓହରିଯିବା ଲାଗି ନିଷ୍ପତ୍ତି ନେଇଥିଲି। ରୋମ୍ ମୋର ଅନ୍ୟତମ ପସନ୍ଦ ସହର। ଆସନ୍ତା ବର୍ଷ ମୁଁ ଏହି ଟୁର୍ନାମେଣ୍ଟ ଖେଳିବା ଲାଗି ପୁଣି ଆସିବି।