ଗରିବ ଲୋକଙ୍କୁ ରୋଷେଇ ସାମଗ୍ରୀ, ମାସ୍କ ବଣ୍ଟନ

ବଲାଙ୍ଗୀର ଅଫିସ, ୮ା୪: କରୋନା ଲକଡାଉନ୍‌ ସମୟରେ ଦିନମଜୁରିଆମାନେ ଅଡୁଆରେ ପଡିଛନ୍ତ। ଯେଉଁମାନେ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ଚିହ୍ନଟ ହୋଇଛନ୍ତି ସେମାନେ ପିଡିଏସ୍‌ ଚାଉଳ, ଭତ୍ତା ଟଙ୍କା ପାଉଛନ୍ତି। ମାତ୍ର ଯେଉଁମାନେ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ସାମାଜିକ ସୁରକ୍ଷା ଯୋଜନାରେ ତାଲିକାଭୁକ୍ତ ହୋଇନାହାନ୍ତି ସେମାନଙ୍କ ଦୁଃଖ ବହୁଗୁଣିତ ହୋଇଯାଇଛି। ସେମାନଙ୍କୁ ଭୋକ ଉପାସରେ ରହିବାକୁ ପଡୁଛି। ବଲାଙ୍ଗୀର ଜିଲା ପୁଇଁତଲା ବ୍ଳକ ମଲମଣ୍ଡା ଗ୍ରାମ ନିକଟରେ ରହୁଥିବା କମାରବସ୍ତିରେ ଏଭଳି କେତେକ ଅସହାୟ ଲୋକ ରହିଛନ୍ତି। ଏଠାରେ ୧୫ଟି ପରିବାରରେ ପ୍ରାୟ ୫୦ ଜଣ ସଦସ୍ୟ ରହୁଛନ୍ତି। ସେମାନେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇ ନ ଥିବାରୁ ପିଡିଏସ୍‌ ଚାଉଳ ପାଉ ନାହାନ୍ତି। ଏହି ଗରିବ ଲୋକମାନେ ଲୁହା କାମ କରି ଗୁଜୁରାଣ ମେଣ୍ଟାଉଥିଲେ। ଏବେ ଲକ୍‌ଡାଉନ୍‌ ସମୟରେ ଅସହାୟ ଅବସ୍ଥାରେ ଖାଇବାକୁ ପାଉ ନ ଥିବା ଖବର ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ୍‌ର ସ୍ବେଚ୍ଛାସେବୀମାନେ ପାଇବା ପରେ ଗତ କିଛି ଦିନ ହେଲା ଏହି ବସ୍ତିର ଲୋକଙ୍କୁ ରନ୍ଧାଖାଦ୍ୟ, ରୋଷେଇ ସାମଗ୍ରୀ ବଣ୍ଟନ ଜାରି ରଖିଛନ୍ତି। ଏବେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବା ପରେ ସଂଗଠନର ସ୍ବେଚ୍ଛାସେବୀମାନେ ବୁଧବାର ସକାଳେ ରୋଷେଇ ସାମଗ୍ରୀ ସହ ମାସ୍କ ଧରି କମାରବସ୍ତିରେ ପହଞ୍ଚି ସେଠାକାର ଲୋକଙ୍କୁ ଏହା ବଣ୍ଟନ କରିଥିଲେ। ଏହା ସହିତ ସ୍ବେଚ୍‌ଉାସେବୀମାନେ ପୁଇଁତଲା ବିଡିଓଙ୍କୁ ସେମାନଙ୍କ ସମ୍ପର୍କରେ ଅବଗତ କରି ସେମାନଙ୍କୁ ଦୁଇବେଳା ରନ୍ଧାଖାଦ୍ୟ ଯୋଗାଇବାକୁ ଅନୁରୋଧ କରିଥିଲେ। ଅନୁଷ୍ଠାନ ତରଫରୁ ବିବେକାନନ୍ଦ ପଟେଲ, ବ୍ରଜଗୋପାଳ ସିଂ, ପ୍ରିତମ୍‌ ବରାଡ, ତାପସ ମହାନ୍ତି, ରୋଶନ ସୁନା, ବାପିନା ମହାରଣା, କୁନାଲ ସରକାର, ଶୁଭ୍ରାନ୍ତ ନନ୍ଦ, ମଣ୍ଟୁ କୁମ୍ଭାର ସେଠାକୁ ଯାଇ ସହଯୋଗ କରିଥିଲେ।

Share