ଗୋଟିଏ ଶିଫ୍ଟ ଖୋଲିବ ବିମାନବନ୍ଦର

ଭୁବନେଶ୍ୱର,୧।୫(ବ୍ୟୁରୋ): ଏଣିକି ଆଉ ୨୪ ଘଣ୍ଟା ନୁହେଁ, ଗୋଟିଏ ଶିଫ୍ଟରେ ଚାଲିବ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର। ଲକ୍‌ଡାଉନ୍‌ ଉଠିବା ପରେ ବିମାନବନ୍ଦର ଦିନକୁ ଗୋଟିଏ ଶିଫ୍ଟ ଯାତ୍ରୀଙ୍କୁ ସେବା ଯୋଗାଇବ। ପୂର୍ବଭଳି ଏକାସଙ୍ଗେ ୩/୪ଟି ବିମାନ ଆସିବନି କି ଯିବନି। ଗୋଟିଏ ପରେ ଗୋଟିଏ ବିମାନ ଉଡ଼ାଣ ଭରିବେ ଏବଂ ଅବତରଣ କରିବେ। ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଯାତ୍ରୀମାନେ ଯିବାଆସିବା କରିପାରିବେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯିବ ବୋଲି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ଭି. ଭି. ରାଓ ସୂଚନା ଦେଇଛନ୍ତି।
ଗୁରୁବାର ସକାଳେ ସମସ୍ତ ଷ୍ଟେକ୍‌ ହୋଲ୍ଡର ଓ ଏୟାରଲାଇନ୍ସ ସହ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଆଲୋଚନା ହୋଇଥିବାବେଳେ ଆଗାମୀ ଦିନରେ ବିମାନ ଚଳାଚଳ ପାଇଁ ସ୍ବତନ୍ତ୍ର ଏସ୍‌ଓପି ପ୍ରସ୍ତୁତ ହେବ। ହେଡ୍‌କ୍ୱାର୍ଟର ଦ୍ୱାରା ପ୍ରସ୍ତୁତ ଗାଇଡ୍‌ଲାଇନ୍‌କୁ ଅନୁକରଣ କରାଯିବ। ସରକାରଙ୍କ ଅନୁମତି ପରେ ବିମାନ ଚଳାଚଳ ଆରମ୍ଭ ହେବ ଏବଂ ବିମାନବନ୍ଦରରେ ସାମାଜିକ ଦୂରତ୍ୱକୁ ପ୍ରାଥମିକତା ଦିଆଯିବ। ବିଭିନ୍ନ ସ୍ଥାନରେ ଧାଡ଼ିରେ ଛିଡ଼ାହେବା ପାଇଁ ମାର୍କିଂ କରାଯିବ। ଯାତ୍ରୀମାନେ ଯେପରି ପରସ୍ପରଠାରୁ ୧ରୁ ୧.୫ ମିଟର ଦୂରତା ରକ୍ଷା କରିବେ ସେଥିଲାଗି ସିଟ୍‌ଗୁଡ଼ିକୁ ରିଆରେଞ୍ଜ କରାଯିବ। ବିମାନବନ୍ଦର ପରିସରକୁ ଲଗାତର ସାନିଟାଇଜ୍‌ କରାଯିବା ସହ ସଫାସୁତୁରା ରଖାଯିବ। ଯାତ୍ରୀଙ୍କ ଲଗେଜ୍‌ଗୁଡ଼ିକୁ ମଧ୍ୟ ସାନିଟାଇଜ୍‌ କରାଯିବ। ହାତ ଧୋଇବା ପାଇଁ ଏୟାରପୋର୍ଟରେ ପର୍ଯ୍ୟାପ୍ତ ୱାଶ୍‌ବେସିନ୍‌ ରଖାଯିବ ବୋଲି ରାଓ ସୂଚନା ଦେଇଛନ୍ତି। ସେହିଭଳି ଅଧିକ ଗହଳି ନ କରିବାକୁ ଘଣ୍ଟାକୁ ୨ଟି ବିମାନ ଆସିପାରିବ ଓ ଯାଇପାରିବ। ଭୁବନେଶ୍ୱର ବିମାନବନ୍ଦରରେ ପୂର୍ବରୁ ଦିନକୁ ୧୦ରୁ ୧୨ ହଜାର ଯାତ୍ରୀ ଯାତାୟାତ କରୁଥିବାବେଳେ ୨୪ ଘଣ୍ଟା ବିମାନ ଚଳାଚଳ କରୁଥିଲା। ହେଲେ ଏବେ ଯାତ୍ରୀଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଗୋଟିଏ ପରେ ଗୋଟିଏ ବିମାନ ଯେପରି ଯାତାୟାତ କରିବ ତାହାଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ପାଇଁ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଲକ୍‌ଡାଉନ୍‌ ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ମେଡିକାଲ ଉପକରଣର ପରିବହନ ପାଇଁ କାର୍ଗୋ ବିମାନ ଚଳାଚଳ କରୁଥିବା ସୂଚନା ଦିଆଯାଇଛି।

Share