ଚଳିତ ବର୍ଷ ୩୮ ଜେଏମ୍‌ଏଫ୍‌ସି କୋର୍ଟ ଖୋଲିବ

ଭୁବନେଶ୍ୱର,୩୧।୭(ବ୍ୟୁରୋ): ରାଜ୍ୟରେ ଆଉ ୬୦ଟି ସ୍ଥାନରେ କୋର୍ଟ ଖୋଲିବ। ତେବେ ଚଳିତବର୍ଷ ୩୮ଟି ସ୍ଥାନରେ ଜେଏମ୍‌ଏଫ୍‌ସି କୋର୍ଟ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ପ୍ରଶ୍ନୋତ୍ତର ବେଳେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି। ବିଜେଡି ସଭ୍ୟ ଧ୍ରୁବଚରଣ ସାହୁ ପଟ୍ଟାମୁଣ୍ଡାଇଠାରେ ଏକ ଅତିରିକ୍ତ ଜିଲା ଜଜ୍‌ କୋର୍ଟ ସ୍ଥାପନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି କି। ରାଜନଗରଠାରେ ଜେଏମ୍‌ଏଫ୍‌ସି କୋର୍ଟ କାର୍ଯ୍ୟ କରୁଥିଲେ ମଧ୍ୟ ଏହାର ନିଜସ୍ବ ଗୃହ ନାହିଁ। କେବେ ସୁଦ୍ଧା ଗୃହ ନିର୍ମାଣ କରାଯିବ ବୋଲି ପଚାରିଥିଲେ। ବିଜେଡି ସଭ୍ୟ ଅନନ୍ତ ଦାସ, ପ୍ରଭୁ ଜାନୀ, ପ୍ରଦୀପ ଅମାତ୍‌, କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା, ଭାଜପା ସଭ୍ୟ ନିତ୍ୟାନନ୍ଦ ଗଣ୍ଡ, ସୁକାନ୍ତ ନାୟକ ପ୍ରମୁଖ ଅତିରିକ୍ତ ପ୍ରଶ୍ନରେ ଜେଏମ୍‌ଏଫ୍‌ସି କୋର୍ଟ ସ୍ଥାପନ କରିବା ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନୂତନ କୋର୍ଟ ଉଦ୍‌ଘାଟନ ବେଳେ ଜନପ୍ରତିନିଧିମାନଙ୍କୁ କାହିଁକି ସାମିଲ କରାଯାଉନାହିଁ ବୋଲି ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ କଡା ଆପତ୍ତି ଉଠାଇଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା କାର୍ଯ୍ୟକାରୀ ହେଲାବେଳେ ଜନପ୍ରତିନିଧିଙ୍କୁ ସାମିଲ କରାଯାଉଛି। ମାତ୍ର କୋର୍ଟ ଉଦ୍‌ଘାଟନ ବେଳେ କାହିଁକି କରାଯାଉନାହିଁ ବୋଲି ପ୍ରଶ୍ନ କରିଥିଲେ। ଜନପ୍ରତିନିଧିମାନଙ୍କୁ କୋର୍ଟ ଉଦ୍‌ଘାଟନ ଉତ୍ସବରେ ସାମିଲ କରାଯିବା ସହ ଫଳକରେ ସ୍ଥାନୀୟ ବିଧାୟକମାନଙ୍କ ନାମ ଲେଖାଯାଉ ବୋଲି ସଦସ୍ୟମାନେ ଦାବି କରିଥିଲେ। ଏ ନେଇ ମନ୍ତ୍ରୀ ହାଇକୋର୍ଟ ଜଜ୍‌ଙ୍କ ସହ ଆଲୋଚନା କରନ୍ତୁ ବୋଲି କହିଥିଲେ। ଏଥିସହ ସମସ୍ତ ଜିଲାରେ ଲୋକଙ୍କୁ ନ୍ୟାୟ ଦେବା ସକାଶେ ଅଧିକ ଜେଏମ୍‌ଏଫ୍‌ସି କୋର୍ଟ ପ୍ରତିଷ୍ଠା କରନ୍ତୁ ବୋଲି ଦାବି କରିଥିଲେ। ମନ୍ତ୍ରୀ କହିଥିଲେ ଯେ, ପଟ୍ଟାମୁଣ୍ଡାଇଠାରେ ଏକ ଅତିରିକ୍ତ ଜିଲା ଓ ସେସନ୍ସ ଜଜ୍‌ କୋର୍ଟ ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଆବଶ୍ୟକ ପଦବୀ ସୃଷ୍ଟି କରିବା ପରେ କୋର୍ଟ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ। ରାଜନଗରଠାରେ ଜେଏମ୍‌ଏଫ୍‌ସି କୋର୍ଟ ନାହିଁ। ସେଠାରେ ଏକ ଗ୍ରାମ୍ୟ ନ୍ୟାୟାଳୟ ସ୍ଥାପନ କରାଯାଇଛି। ଗ୍ରାମ୍ୟ ନ୍ୟାୟାଳୟ ପାଇଁ ନିଜସ୍ବ ଗୃହ ନିର୍ମାଣ କରିବା ଲାଗି ସରକାର ନିଷ୍ପତ୍ତି ନେଇ ନାହାନ୍ତି। ନୂତନ କୋର୍ଟ ଉଦ୍‌ଘାଟନ ହାଇକୋର୍ଟଙ୍କ ଦ୍ୱାରା ହୋଇଥାଏ। ଏଥିରେ ଜନପ୍ରତିନିଧିଙ୍କୁ ସାମିଲ କରାଯାଇ ନ ଥାଏ। ଗୃହର ଉଦ୍‌ବେଗକୁ ଦୃଷ୍ଟିରେ ରଖି ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରାଯିବ। ରାଜ୍ୟରେ ୩୧ଟି ଗ୍ରାମ୍ୟ ନ୍ୟାୟାଳୟ ରହିଛି। ସେଗୁଡିକୁ ଜେଏମ୍‌ଏଫ୍‌ସି କୋର୍ଟ କ୍ଷମତା ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

Share