ଟ୍ରାକ୍ଟର ଚାପାରେ ଛାତ୍ର ମୃତ, ଉତ୍ତେଜନା

ଲୋଇସିଂହା, ୧୨।୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଆଗଲପୁର ବ୍ଲକ ଅନ୍ତର୍ଗତ ବିନ୍ଧାପାଲି ଗାଁରେ ଟ୍ରାକ୍ଟର ଚାପାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବରଗଡ ଜିଲା ଗାଇସିଲାଟ ବ୍ଲକ ଭୂତିବାହାଲ ଗ୍ରାମର ନାଗର ଜୁଏଡଙ୍କ ପୁଅ ଡିଲେଶ୍ୱର(୧୫) । ଦୁର୍ଘଟଣା ଘଟାଇ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଉତ୍ତ୍ୟକ୍ତ ଲୋକେ ଟ୍ରାକ୍ଟରକୁ ପୋଡି ଦେଇଛନ୍ତି। ଆଗଲପୁର ଫାଣ୍ଡି ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ପଠାଇଛି। ଏ ନେଇ ଲୋଇସିଂହା ଥାନାରେ ଏକ ମାମଲା (ନଂ. ୧୪୭/୧୯)ରୁଜୁ ହୋଇଛି। ପ୍ରାପ୍ତମତେ, ଡିଲେଶ୍ୱର ଲୋଇସିଂହା ଥାନା ତଥା ଆଗଲପୁର ବ୍ଲକ ଜେମାପାଲିକୁ ନିୟମିତ ଟ୍ୟୁସନ ଆସନ୍ତି। ଶୁକ୍ରବାର ସବୁଦିନ ପରି ସେ ଟ୍ୟୁସନ ସାରି ବିନ୍ଧାପାଲି ଦେଇ ଘରକୁ ଚାଲିଚାଲି ଫେରୁଥିଲେ। ଏହି ସମୟରେ ଡିଲେଶ୍ୱରକୁ ଏକ ଟ୍ରାକ୍ଟର ଧକ୍କା ଦେଇଥିଲା । ଖବର ପ୍ରଚାରିତ ହେବା ପରେ ଭୂତିବାହଲ ଏବଂ ସ୍ଥାନୀୟ ଅଞ୍ଚଳର ଲୋକେ ଘଟଣାସ୍ଥଳକୁ ଆସି ପ୍ରତିବାଦ କରିଥିଲେ। ଏହାକୁ ନେଇ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତେଜିତ ଲୋକେ ଟ୍ରାକ୍ଟରରେ ନିଆଁ ଲଗାଇ ଦେଇଥିଲେ ା ମୃତ ଛାତ୍ରଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଏବଂ ଦୁର୍ଘଟଣା ଘଟାଇଥିବା ଗାଡି ଏବଂ ଡ୍ରାଇଭରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଥିଲେ । ଆଗଲପୁର ଫାଣ୍ଡି ଅଧିକାରୀ ଦେବାର୍ଚ୍ଚନ ମିର୍ଦ୍ଧା ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ।

Share