‘ଧରିତ୍ରୀ’ରେ ପ୍ରକାଶିତ ଖବରକୁ ନେଇ ଗୃହରେ ଉଦ୍‌ବେଗ: କୁମ୍ଭକାରଙ୍କ ଦୁରାବସ୍ଥା ସୁଧାରିବାକୁ ମହାରଥୀଙ୍କ ଅନୁରୋଧ

ଭୁବନେଶ୍ୱର,୨୯।୭(ବ୍ୟୁରୋ): ଚଳିତ ମାସ ୨୮ ତାରିଖରେ ଧରିତ୍ରୀରେ ପ୍ରକାଶିତ ହୋଇଥିବା ‘ଶ୍ରୀମନ୍ଦିରରେ କୁଡ଼ୁଆ ସଙ୍କଟ, ଫନୀ ପରଠୁ ଅଣ୍ଟା ସଳଖି ପାରିନାହାନ୍ତି କୁମ୍ଭକାର’ ଶୀର୍ଷକ ଖବରକୁ ନେଇ ସୋମବାର ଶୂନ୍ୟକାଳରେ ବିଜେଡି ବିଧାୟକ ପ୍ରଦୀପ ମହାରଥୀ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ। ଧରିତ୍ରୀ ଦେଖାଇ ମହାରଥୀ କହିଥିଲେ ଯେ, ଜଗନ୍ନାଥ ଆମର ଆରାଧ୍ୟ ଠାକୁର। ମହାପ୍ରସାଦ ଆମ ସମସ୍ତଙ୍କ ପାଇଁ ଅମୃତ। ହେଲେ ମୋତେ ଲାଗୁଛି ମହାପ୍ରସାଦ ଏବେ ପଲିଥିନରେ ଆଣିବାକୁ ପଡ଼ିବ। ଆଉ କିଛି ସପ୍ତାହ ପରେ କାର୍ତ୍ତିକ ମାସ। ଲକ୍ଷଲକ୍ଷ ଶ୍ରଦ୍ଧାଳୁ ପୁରୀରେ ସମବେତ ହେବେ। ହେଲେ ନୀଳାଚଳ ଅବଢ଼ା ପାଇଁ କୁଡ଼ୁଆ ଅଭାବ ହେବ। କୁମ୍ଭକାରମାନେ ଫନୀ ପରେ ବହୁଳ ଭାବେ ପ୍ରଭାବିତ ହୋଇଛନ୍ତି। ସେମାନଙ୍କୁ ସରକାର ୮,୨୦୦ ଟଙ୍କା ଲେଖାଏ ସହାୟତା ଦେଇଛନ୍ତି। ହେଲେ ତାହା ଯଥେଷ୍ଟ ନୁହେଁ। ମାଟିର ଅଭାବ ଦେଖାଦେଲାଣି। ଚାରିଆଡ଼େ କଙ୍କ୍ରିଟ୍‌ର ଜଙ୍ଗଲ। ଶାଳଘର ନାହିଁ। ତେଣୁ ସେମାନଙ୍କ ଅଣ୍ଟା ସଳଖି କରି ଛିଡ଼ା ହେବା ପାଇଁ ସରକାରୀ ସହାୟତାର ଆବଶ୍ୟକତା ରହିଛି। ପୁରୀ ସମେତ ବ୍ରହ୍ମଗିରି, ସତ୍ୟବାଦୀ ଓ ଅନ୍ୟ ଆଖପାଖ ଅଞ୍ଚଳର କୁମ୍ଭକାର ପରିବାର ଏହାଦ୍ୱାରା ଉପକୃତ ହେବେ। ତେଣୁ ବାଚସ୍ପତି ସେମାନଙ୍କୁ ସହାୟତା ପ୍ରଦାନ କରିବା ନେଇ ଶ୍ରୀମନ୍ଦିର ପ୍ରଶାସନକୁ ରୁଲିଂ ଦିଅନ୍ତୁ।

Share