Categories: ରାଜ୍ୟ

ନାହିଁ ନାହିଁରେ ଚାଲିଛି ନୟାଗଡ଼ ଜିଲା ଉପକୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ: ୩୩ରୁ ୨୩ ପଦବୀ ପଡ଼ିଛି ଖାଲି

ନୟାଗଡ଼ ଅଫିସ,୧୪।୭-ନାହିଁ ନାହିଁରେ ଚାଲିଛି ନୟାଗଡ଼ ଜିଲା ଉପକୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ । ୩୩ ମଞ୍ଜୁରୀପ୍ରାପ୍ତ ପଦବୀରୁ ୧୦ରେ ଅଧିକାରୀ ଓ କର୍ମଚାରୀ ଥିବା ବେଳେ ୨୩ ପଦବୀ ଖାଲି ପଡ଼ିଛି। ଫଳରେ ଏଠାରେ କିପରି କାମ ହେଉଥିବ ତାହା ସହଜରେ ଅନୁମେୟ। ଅନ୍ୟପକ୍ଷେ ଜିଲା କୃଷି କାର୍ଯ୍ୟାଳୟରୁ କେତେଜଣ କର୍ମଚାରୀ ଡେପୁଟେଶନ୍‌ରେ ଆସି କାର୍ଯ୍ୟ କରୁଥିବାରୁ ଉକ୍ତ କର୍ମଚାରୀମାନେ କାର୍ଯ୍ୟାଳୟର ସାହା ଭରସା ପାଲଟିଛନ୍ତି।

୨୦୦୮ ମସିହାରେ ଜିଲାରେ ଉପକୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । କାର୍ଯ୍ୟାଳୟରେ ଜଣେ ଉପକୃଷି ନିର୍ଦ୍ଦେଶକ, ଜଣେ ମୁଖ୍ୟ କିରାଣି, ଜଣେ କନିଷ୍ଠ ଷ୍ଟେନୋ, ଜଣେ କନିଷ୍ଠ ଆକାଉଣ୍ଟାଣ୍ଟ, ୭ ବରିଷ୍ଠ କିରାଣି, ୨ କନିଷ୍ଠ କିରାଣି, ୯ ଓଭରସିୟର, ୪ ପିଅନ, ୫ ୱାଚ୍‌ମ୍ୟାନ, ଜଣେ ଡାପ୍ଟଟାରି, ଜଣେ ଶ୍ରମିକ ପଦବୀ ଏହିଭଳି ୩୩ ମଞ୍ଜୁରପ୍ରାପ୍ତ ପଦବୀ ରହିଛି। ଏଥିମଧ୍ୟରୁ ଉପକୃଷି ନିର୍ଦ୍ଦେଶକ, ଜଣେ କନିଷ୍ଠ କିରାଣି, ୬ ଜଣ କୃଷି ଓଭରସିୟର, ଜଣେ ୱାଚମ୍ୟାନ ଓ ଜଣେ ଶ୍ରମିକ ଏହଭଳି ୧୦ ଜଣ ଅଛନ୍ତି। ୨୩ ପଦବୀ ଖାଲିପଡ଼ିଛି। ଭାପୁର , ନୂଆଗାଁ ଓ ଗଣିଆ ବ୍ଲ୍ଳକ ପାଇଁ ଥିବା କୃଷି ଓଭରସିୟର୍‌ ପଦବୀ ଖାଲି ପଡ଼ିଛି। ଫଳରେ ଅନ୍ୟ ବ୍ଳକ ଦାୟିତ୍ୱରେ ଥିବା କୃଷି ଓଭରସିୟରମାନେ ଏହାକୁ ସମ୍ଭାଳୁଛନ୍ତି। ଡେପୁଟେଶନ୍‌ରେ ଆସିଥିବା କର୍ମଚାରୀମାନେ କିଛିଟା ଦାୟିତ୍ୱ ସମ୍ଭାଳିଛନ୍ତି। ୧୧ ବର୍ଷ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମଞ୍ଜୁରୀପ୍ରାପ୍ତ ଅଧିକାରୀ ଓ କର୍ମଚାରୀ ନିଯୁକ୍ତ ହୋଇପାରୁନାହାନ୍ତି। କର୍ମଚାରୀ ଅଭାବରୁ ବିଭିନ୍ନ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବାର ଦେଖିବାକୁ ମିଳୁଛି। ଜିଲା ମୁଖ୍ୟାଳୟରେ ଉପକୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଥିବାରୁ ଜିଲାର ବିଭିନ୍ନ ବ୍ଲକରୁ ଚାଷୀମାନେ ସେମାନଙ୍କ ଅଭିଯୋଗ ଓ ଯୋଜନା ବିଷୟରେ ସୂଚନା ପାଇଁ ଆସିବା ବେଳକୁ କାର୍ଯ୍ୟାଳୟରେ କାହାର ଦେଖା ମିଳୁନାହିଁ। ପଚାରିଲେ ବାବୁମାନେ କ୍ଷେତ୍ର ପରିଦର୍ଶନ କରିବାକୁ ଯାଇଛନ୍ତି ନ ହେଲେ ଆସିନାହାନ୍ତି ବୋଲି କୁହାଯାଉଛି। ଫଳରେ ଚାଷୀମାନେ ନିରାଶ ହୋଇ ଫେରି ଯାଉଛନ୍ତି। ଫଳରେ କୃଷି ବିଭାଗର ବିଭିନ୍ନ ଯୋଜନାରୁ ଚାଷୀମାନେ ବଞ୍ଚତ୍ତ ହେଉଛନ୍ତି। ଏ ନେଇ ଉପକୃଷି ନିର୍ଦ୍ଦେଶକ ଶିଶିର କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କୁହନ୍ତି, ଖାଲି ପଡ଼ିଥିବା ପଦବୀ ବାବଦରେ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ପ୍ରଦାନ କରାଯାଉଛି। କୃଷିମନ୍ତ୍ରୀଙ୍କ ଜିଲାରେ କୃଷି କାର୍ଯ୍ୟାଳୟରେ ବହୁ ପଦବୀ ଖାଲି ପଡ଼ିଥିବାରୁ ମନ୍ତ୍ରୀ ଏ ଦିଗ ପ୍ରତି ଧ୍ୟାନ ଦେବା ପାଇଁ ଚାଷୀମହଲରେ ଦାବି ହେଉଛି।

Share