Categories: ବାଣିଜ୍ୟ

ନିଜର ଉତ୍ତରାଧିକାରୀଙ୍କୁ ଆଦିତ୍ୟ ପୁରୀଙ୍କ ୧୫ ଦିନିଆ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୩-୭: ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏମ୍‌ଡି ଆଦିତ୍ୟ ପୁରୀଙ୍କ ଉତ୍ତରାଧିକାରୀ ଖୋଜା ଆରମ୍ଭ ହୋଇଛି। ତେବେ ନୂଆ ଏମ୍‌ଡିଙ୍କୁ ୨ ସପ୍ତାହ ଭିତରେ ତାଙ୍କର ସମସ୍ତ କାମ ଶିଖିବାକୁ ହେବ ବୋଲି ପୁରୀ ଚାହୁଁଛନ୍ତି। ନିଯୁକ୍ତି ପାଇବାକୁ ଥିବା ବ୍ୟକ୍ତିଜଣକ ସବୁ ଦୃଷ୍ଟିରୁ ତାଙ୍କଠାରୁ ଅଧିକ ପାରଙ୍ଗମ ହେବା ଉଚିତ ବୋଲି ସେ ମତପ୍ରକାଶ କରିଛନ୍ତି। ଗତବର୍ଷ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଏକ ବୋର୍ଡ ବୈଠକରେ ଯୋଗ ଦେଇ ସେ କହିଥିଲେ ଯେ, ଏକ ବର୍ଷ ସମୟ ନେଇ ସବୁକିଛି ଶିଖିବାକୁ ଚାହୁଁଥିବା ଉତ୍ତରାଧିକାରୀଙ୍କୁ ସେ ତାଙ୍କ ପଦ ଦେବେ ନାହିଁ। ତାଙ୍କ ସ୍ଥାନ ନେଉଥିବା ବ୍ୟକ୍ତିଙ୍କୁ ୧୮ ମାସ ହାତଧରି ଶିଖାଇବାର ଆବଶ୍ୟକତା ହେବା ଅନୁଚିତ। ଆସନ୍ତାବର୍ଷ ଅକ୍ଟୋବରରେ ୭୦ବର୍ଷରେ ପଦାର୍ପଣ କରୁଥିବା ପୁରୀ ଅବସର ନେବେ। ଏଚ୍‌ଡିଏଫ୍‌ସି ବ୍ୟାଙ୍କର ବିକାଶ ଓ ପ୍ରଦର୍ଶନରେ କ୍ରମାଗତ ଉନ୍ନତିର ଶ୍ରେୟ ପୁରୀଙ୍କୁ ଦିଆଯାଇଥାଏ। ସର୍ବାଧିକ ସମୟ ଧରି ସେବା ଦେବାରେ ସେ ଦେଶର ପ୍ରଥମ ବ୍ୟାଙ୍କ ପ୍ରମୁଖ। ସେ ୧୯୯୪ରେ ନିଜର କ୍ୟାରିୟର ଆରମ୍ଭ କରି ଏଚ୍‌ଡିଏଫ୍‌ସି ବ୍ୟାଙ୍କକୁ ନେତୃତ୍ୱ ଦେଇ ଆସୁଛନ୍ତି। ତାଙ୍କର ଉତ୍ତରାଧିକାରୀ କିଏ ହେବ, ସେନେଇ ଏବେ ସୁଦ୍ଧା କଳ୍ପନାଜଳ୍ପନା ଜାରି ରହିଛି।

Share