ରାଜୌରି,୧୮।୮:ଜମ୍ମୁ-କଶ୍ମୀରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ସରକାର ଓ ଏହାର ସେନା ଏକ ପ୍ରକାର ହଡବଡେଇ ଗଲେଣି। ଶନିବାର ଜମ୍ମୁ-କଶ୍ମୀରର ରାଜୌରିରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ଫଳରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଥିଲେ। ଏବେ ଏହାର କଡା ଜବାବ ଦେଇଛି ଭାରତ। ଭାରତ ପକ୍ଷରୁ ପାକିସ୍ତାନର ପ୍ରାୟ ୩ ସେନା ଶିବିରକୁ ଧ୍ୱଂସ କରାଯିବା ସହ ଏଥିରେ ପାକ୍ ସେନାର ୨ ଅଧିକାରୀ ଓ ୫ ଯବାନ ନିହତ ହୋଇଥିବା ସୂଚନା ମିଳିଛି। ଏହାପରେ ବି ସୀମାରେ ଉତ୍ତେଜନା କମି ନ ଥିବା ବେଳେ ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ଗୁଳିବିନିମୟ ଚାଲିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ପାକିସ୍ତାନ ଭାରତସହ ଶତ୍ରୁତା ବଢାଇ ଦେଇଛି।