ଫି’ ବୃଦ୍ଧି ଓ ସ୍କୁଲର ଭିତ୍ତିଭୂମି ବିକାଶ ଦାବିରେ ଅଭିଭାବକଙ୍କ ଧାରଣା

ଭବାନୀପାଟଣା,୨୧।୬(ଡି.ଏନ୍‌.ଏ.): ଫି ବୃଦ୍ଧି ଓ ସ୍କୁଲର ଭିତ୍ତିଭୂମି ବିକାଶ ଦାବି କରି କଳାହାଣ୍ଡି ଜିଲା ଭବାନୀପାଟଣା ବିମଳା କନଭେଣ୍ଟ ସ୍କୁଲ ସମ୍ମୁଖରେ ଅଭିଭାବକମାନେ ଶୁକ୍ରବାର ଧାରଣା ଦେଇଛନ୍ତି। ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକଙ୍କ ସହିତ କୌଣସି ପ୍ରକାର ଆଲୋଚନା ଓ ମତବିନିମୟ ନ କରି ମନଇଚ୍ଛା ଫି ବୃଦ୍ଧି କରୁଛନ୍ତି। ଏ ନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ସୂଚନାଯୋଗ୍ୟ, ଚଳିତବର୍ଷ ୨୨ ପ୍ରତିଶତ ସ୍କୁଲ ଫି ବୃଦ୍ଧି ଓ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ଦାବି କରି ଅଭିଭାବକମାନେ ବାରମ୍ବାର ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେବା ପରେ ମାତ୍ର ୩ ପ୍ରତିଶତ ଫି କମାଯାଇଥିଲା। ଏ ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ଆଗକୁ ଫି ବୃଦ୍ଧି ନ କରିବା ଓ ସ୍କୁଲର ଭିତ୍ତିଭୂମିର ବିକାଶ ପାଇଁ ଦାବି କରି ଆସୁଥିଲେ। ସେମାନେ ପ୍ରିନ୍ସିପାଲଙ୍କ ସହ ଆଲୋଚନା କରିବାକୁ ଚାହୁଁଥିଲେ। ମାତ୍ର ପ୍ରିନ୍ସିପାଲ ଅଭିଭାବକଙ୍କ ସହ ଆଲୋଚନା କରିବା ପାଇଁ ରାଜି ନ ହେବାରୁ ବାଧ୍ୟ ହୋଇ ଶୁକ୍ରବାର ପୂର୍ବାହ୍ନରୁ ଅଭିଭାବକ ଅରୁଣ ରଥ, ରୋମାଞ୍ଚଳ ଯୋଶୀ, ଅଶୋକ ରଥ, ଭାନୁପ୍ରକାଶ ରଥ, ଶ୍ରୀକାନ୍ତ ନାଏକ, କେ. ଶରତ ବାବୁ, ବୁବୁନ ମହାପାତ୍ର, ସିଦ୍ଧାର୍ଥ ପଟ୍ଟନାୟକ ପ୍ରମୁଖ ଧାରଣାରେ ବସିଛନ୍ତି।