ଫେରିବେ ୧୪୭୦: କ୍ୱାରାଣ୍ଟାଇନ୍‌ କଡ଼ାକଡ଼ି କରିବାକୁ ଦାବି

ବିଜେପୁର,୨୬ା୪(ଡି.ଏନ୍‌.ଏ.) : କରୋନା ପ୍ରତିହତ ପାଇଁ କରାଯାଇଥିବା ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଖୋଲିବାକୁ ଆଉ ମାତ୍ର ୭ ଦିନ ବାକି ରହିଛି। ଏହା ଖୋଲିବା ମାତ୍ରକେ ରାଜ୍ୟ ବାହାରେ ରହୁଥିବା ଲୋକଙ୍କ ଘରବାହୁଡ଼ା ହେବାର ସମ୍ଭାବନା ରହିଛି। ତେଣୁ ରାପିଡ୍‌ ରେସପନ୍ସ ଟିମ୍‌ ମାଧ୍ୟମରେ ଉକ୍ତ ଘର ବାହୁଡ଼ା ଲୋକଙ୍କ ତାଲିକା ପ୍ରସ୍ତୁତ ହୋଇଯାଇଛି। ଏହିକ୍ରମରେ ବରଗଡ଼ ଜିଲା ବିଜେପୁର ବ୍ଲକରେ ୨୩ ପଞ୍ଚାୟତ ଓ ବିଜେପୁର ଏନ୍‌ଏସିକୁ ମୋଟ ୧୪୭୦ଜଣ ଫେରିବେ ବୋଲି ଜଣାପଡ଼ିଛି। ଏଥିରେ ସ୍ଥାନୀୟ ଏନ୍‌ଏସିରେ ସର୍ବାଧିକ ୧୮୩ଜଣ ରହିଥିବାବେଳେ ବରମୁଣ୍ଡା ଓ ଲାଉମୁଣ୍ଡାରେ ଯଥାକ୍ରମେ ୧୨୦ ଓ ୧୦୧ଜଣ ଫେରିବେ। ସେହିପରି ସୁରୁବାଲି ପଞ୍ଚାୟତରେ ସର୍ବନିମ୍ନ ୬ଜଣ ଫେରିବେ। ତେଣୁ ପ୍ରଶାସନ ପକ୍ଷରୁ ଉକ୍ତ ଘରବାହୁଡ଼ାଙ୍କ ପାଇଁ ଅନ୍‌ଲାଇନ ମାଧ୍ୟମରେ ପଞ୍ଜୀକରଣ ଶୁକ୍ରବାରରୁ ଆରମ୍ଭ ହୋଇଛି। ସେମାନେ ଫେରିବା ପରେ ପଞ୍ଚାୟତ ପକ୍ଷରୁ କରାଯାଇଥିବା ଅସ୍ଥାୟୀ ଶିବିରରେ ୧୪ଦିନ ରହିବା ପରେ କୌଣସି ଲକ୍ଷଣ ଦେଖା ନ ଗଲେ ନିଜ ଘରକୁ ଫେରିବେ। ଉକ୍ତ ସ୍ଥାନରେ ପୁରୁଷ ଓ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଭାବେ ୪ଟି ଶୌଚାଳୟ ନିର୍ମାଣ କରାଯାଇଛି। ତାଙ୍କର ଦୁଇ ଓଳି ଖାଇବାକୁ ବନ୍ଦୋବସ୍ତ କରାଯାଇଥିବାବେଳେ ଘରକୁ ଫେରିବାବେଳେ ସେମାନଙ୍କୁ ଦୁଇ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯିବ ବୋଲି ବିଜେପୁର ବିଡିଓ ପଦ୍ମନାଭ ସାମନ୍ତରାୟ ସୂଚନା ଦେଇଛନ୍ତି। ବାହାର ରାଜ୍ୟରୁ ଫେରୁଥିବା ଘରବାହୁଡ଼ା ଲୋକଙ୍କ କ୍ବାରାଣ୍ଟାଇନ୍‌ କଡ଼ାକଡ଼ି କରା ନ ଗଲେ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି। ତେଣୁ ଏହାକୁ କଡ଼ାକଡ଼ି ଭାବେ ସରପଞ୍ଚମାନେ ପାଳନ କରି ଗ୍ରାମାଞ୍ଚଳକୁ ସୁରକ୍ଷିତ ରଖିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Share