ବନ୍ତଳା,୧୦।୭(ଡି.ଏନ୍.ଏ.): ଅନୁଗୋଳ ଜିଲା ବନ୍ତଳା ରେଞ୍ଜ ବାରଗୌଣିଆ ପାଣ୍ଡୁରୀଶୁଣି ପାହାଡ଼ରେ ବୁଧବାର ସକାଳେ ଏକ ବିରଳ ପ୍ରଜାତିର ଅହିରାଜକୁ ଗୁଳି କରି ଶିକାର କରିଛନ୍ତି ଶିକାରୀ। ଅହିରାଜର ମୃତ୍ୟୁ ପରେ ତାକୁ ଆଣି ଗାଁ ମଝିରେ ରଖାଯାଇଥିଲା। ସାପକୁ ଦେଖିବା ପାଇଁ ଲୋକଙ୍କର ଭିଡ଼ ଜମିଥିଲା। ଖବର ପାଇ ବନ୍ତଳା ଫରେଷ୍ଟର ଜୟନ୍ତ କୁମାର ଦାସ ପହଞ୍ଚି ମୃତ ଅହିରାଜକୁ ଜବତ କରିବା ସହିତ ଏକ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ନେଇଛନ୍ତି। ସାତକୋଶିଆ ପ୍ରାଣୀ ଡାକ୍ତର ଡଃ. କିଶୋର କୁମାର ସାହୁ ବେବଚ୍ଛେଦ କରିଛନ୍ତି। ଅହିରାଜଟିର ଲମ୍ବ ୧୨ ଫୁଟ ୪ ଇଞ୍ଚ ଓ ଗୋଲେଇ ୨୦ ସିଏମ ରହିଛି। ବନ୍ତଳା ଅଞ୍ଚଳରେ ଉକ୍ତ ଅହିରାଜକୁ ପ୍ରଥମ କରି ଦେଖିବାକୁ ମିଳିଛି। ଦୀର୍ଘ ୧୦୦ ବର୍ଷ ମଧ୍ୟରେ କେବେ ଦେଖିବାକୁ ମିଳି ନ ଥିଲା ବୋଲି ଗ୍ରାମବାସୀ କୁହନ୍ତି। ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ ଯେ, ଗ୍ରାମର ୪ରୁ ୫ ଜଣ ବେଆଇନ ଭାବରେ ଦେଶୀ ବନ୍ଧୁକ ଧରି ପାଣ୍ଡୁରୀଶୁଣି ପାହାଡ଼କୁ ଯାଇଥିଲେ। ଉକ୍ତ ଅହିରାଜ ଏକ ଗୋଧିକୁ ଗିଳୁଥିବା ସମୟରେ ଉକ୍ତ ଶିକାରୀମାନେ ତା’ର ଫଣାକୁ ଗୁଳି କରି ମାରିଦେଇଥିଲେ। ବର୍ତ୍ତମାନ ସୁଦ୍ଧା ଶିକାରୀମାନଙ୍କୁ ଗିରଫ କରାଯାଇ ନାହିଁ।