ଭୀଷ୍ମ ସାହାଣୀ ଏକାଧାରରେ ଥିଲେ ଜଣେ ନାଟ୍ୟକାର, ଔପନ୍ୟାସିକ, ଅଭିନେତା ଏବଂ ଟେଲିଭିଜନ ପର୍ସନାଲିଟି। ବିଶେଷକରି ସେ ତାଙ୍କର ନାଟକ ଏବଂ ଉପନ୍ୟାସ ଆଦି ପାଇଁ ସାରା ଭାରତରେ ଥିଲେ ସୁଖ୍ୟାତ। ତାଙ୍କର ଏକ ଅତି ଲୋକପ୍ରିୟ ଉପନ୍ୟାସ ହେଉଛି ‘ତାମସ’। ଭାରତ ବିଭାଜନକୁ ପୃଷ୍ଠ ଭୂମିରେ ରଖି ସେ ଏହି ଉପନ୍ୟାସ ରଚନା କରିଥିଲେ। ଉପନ୍ୟାସଟି ସର୍ବାଧିକ ପାଠକୀୟତା ଲାଭ କରିଥିଲା। ସେତିକି ନୁହେଁ, ଏହାର ଟେଲିଭିଜନ ସ୍କ୍ରିନପ୍ଲେ ମଧ୍ୟ ସେ ରଚନା କରିଥିଲେ। ଏହା ଟେଲିଭିଜନରେ ପ୍ରସାରିତ ହୋଇ ତାଙ୍କୁ ଆଶାନୁରୂପ ସଫଳତା ଆଣି ଦେଇଥିଲା। ୧୯୯୮ରେ ତାଙ୍କୁ ପଦ୍ମଭୂଷଣ ଉପାଧି ପ୍ରଦାନ କରାଯାଇଥିଲା। ସେହିଭଳି ୨୦୦୨ରେ ସେ ସାହିତ୍ୟ ଏକାଡେମୀର ଫେଲୋଶିପ୍ ହାସଲ କରିଥିଲେ। ତାଙ୍କର ଜନ୍ମ ଏକ କଳାକାର ବଂଶରେ। ତାଙ୍କର ବଡ଼ଭାଇ ହେଉଛନ୍ତି ହିନ୍ଦୀ ଫିଲ୍ମର ଜଣେ ଜଣାଶୁଣା ଅଭିନେତା ବଲରାଜ ସାହାଣୀ। ବାବୁ ହରିବଂଶଲ ସାହାଣୀ ଥିଲେ ତାଙ୍କର ବାପା।
ସ୍ବାଧୀନତା ଓ ବିଭାଜନ : ଭାରତର ସ୍ବାଧୀନତା ତଥା ଦେଶ ବିଭାଜନର ଜଣେ ପ୍ରତ୍ୟକ୍ଷ ସାକ୍ଷୀ ଥିଲେ ଭୀଷ୍ମ ସାହାଣୀ। ୧୯୧୫ ଅଗଷ୍ଟ ୮ ତାରିଖରେ ରାଓ୍ବଲପିଣ୍ଡିଠାରେ ଜନ୍ମ ହୋଇଥିଲେ ଭୀଷ୍ମ ।
ସେ ଜଣେ ବିଚକ୍ଷଣ ପ୍ରତିଭା ସମ୍ପନ୍ନ ଛାତ୍ର ଥିଲେ। ଇଂଲିଶ ଭାଷା ସାହିତ୍ୟରେ ସେ ଲାହୋର ସରକାରୀ ମହାବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ସେହିଭଳି ସେ ୧୯୫୮ ମସିହାରେ ପିଏଚ୍.ଡି. ହାସଲ କରିଥିଲେ। ଭାରତର ମୁକ୍ତି ସଂଗ୍ରାମରେ ଯୋଗ ଦେଇ ସେ ବ୍ରିିଟିଶ୍ ବିରୋଧରେ ଲଢ଼େଇ କରିଥିଲେ। ଭାରତ ବିଭାଜନ ସମୟରେ ଇଣ୍ଡିଆନ୍ ନ୍ୟାଶନାଲ କଂଗ୍ରେସର ସେ ଥିଲେ ଜଣେ ସକ୍ରିୟ ସଦସ୍ୟ। ଦେଶ ବିଭାଜନ ପରେ ଦଙ୍ଗା ଆରମ୍ଭ ହୋଇଗଲା। ବହୁ ଲୋକ ଶରଣାର୍ଥୀ ହୋଇ ଜୀବନ ଯାପନ କରିଥିଲେ। ସେହି ସମୟରେ ଅର୍ଥାତ୍ ୧୯୪୭ ମାର୍ଚ୍ଚ ମାସରେ ସେ ରାଓ୍ବଲ୍ପିଣ୍ଡି ଠାରେ ଦଙ୍ଗା ପୀଡ଼ିତ ଶରଣାର୍ଥୀଙ୍କ ନିମନ୍ତେ ରିଲିଫ୍ କ୍ୟାମ୍ପ୍ର ମଧ୍ୟ ଆୟୋଜନ କରିଥିଲେ।
କଂଗ୍ରେସ ଛାଡ଼ି କମ୍ୟୁନିଷ୍ଟ : ୧୯୪୮ ମସିହାରେ ଭୀଷ୍ମ ସାହାଣୀ ଇଣ୍ଡିଆନ୍ ପିପୁଲ୍ସ ଥିଏଟର ଆସୋସିଏଶନ୍ (ଇପଟା)ରେ କାମ କଲେ। ଏ ସଂସ୍ଥାରେ ତାଙ୍କର ବଡ଼ଭାଇ ତଥା ଅଭିନେତା ବଲରାଜ ସାହାଣୀ ମଧ୍ୟ ଆଗରୁ କାମ କରୁଥିଲେ। ବଲରାଜ ସେଠାରେ କେବଳ ଅଭିନେତା ଭାବରେ କାମ କରୁଥିବା ବେଳେ ଭୀଷ୍ମ ସାହାଣୀ ସେଠାରେ ଜଣେ ଅଭିନେତା ତଥା ନିର୍ଦ୍ଦେଶକ ଭାବରେ ଯୋଗଦେଲେ। ଇପଟାରେ ଯୋଗଦେବା ଯୋଗୁ ସେ କଂଗ୍ରେସ ପାଇଁ ସମୟ ଦେଇପାରିଲେ ନାହିଁ। ଫଳରେ କଂଗ୍ରେସକୁ ତାଙ୍କୁ ଛାଡ଼ିବାକୁ ହେଲା। କଂଗ୍ରେସକୁ ସିନା ଛାଡ଼ିଲେ। ହେଲେ ରାଜନୀତି ଛାଡ଼ି ପାରିଲେ ନାହିଁ। କମ୍ୟୁନିଷ୍ଟ ପାର୍ଟିରେ ଯୋଗଦେଲେ।
କ୍ୟାରିୟର: କ୍ୟାରିୟର କରିବା ପାଇଁ ତାଙ୍କୁ ବମ୍ବେ (ବର୍ତ୍ତମାନର ମୁମ୍ବାଇ) ଛାଡ଼ି ପଞ୍ଜାବ ଯିବାକୁ ପଡ଼ିଲା। ସେ ପ୍ରଥମେ ଅମୃତସରର ଅମ୍ବାଲା ଏବଂ ପରେ ଖାଲସା କଲେଜରେ ଜଣେ ଅଧ୍ୟାପକ ଭାବରେ ଯୋଗଦେଲେ। ସେଠାରୁ ସେ ଗଲେ ଦିଲ୍ଲୀ। ଦିଲ୍ଲୀର ଜାକିର ହୁସେନ୍ କଲେଜରେ ସେ ଇଂଲିଶର ଅଧ୍ୟାପକ ଭାବରେ କାର୍ଯ୍ୟକଲେ। ୧୯୫୬ରୁ ୧୯୬୩ ଯାଏ ସେ ଜଣେ ଟ୍ରାନ୍ସଲେଟର ଭାବରେ କାର୍ଯ୍ୟକଲେ। ସେଥିଲାଗି ତାଙ୍କୁ ମସ୍କୋ ଯିବାକୁ ପଡ଼ିଲା। ସେହି ସମୟ ମଧ୍ୟରେ ସେ ଲିଓ ଟଲଷ୍ଟୟଙ୍କ ଗପସବୁକୁ ହିନ୍ଦୀରେ ଅନୁବାଦ କଲେ ଏବଂ ତାଙ୍କର ଉପନ୍ୟାସ ରିସରେକଶନ୍କୁ ମଧ୍ୟ ସେ ହିନ୍ଦୀରେ ଅନୁବାଦ କରିଥିଲେ। ତେବେ ଏହା ତାଙ୍କ ମନ ପସନ୍ଦର କାମ ନ ଥିଲା। ସେ ପୁଣିଥରେ ଦିଲ୍ଲୀ ଚାଲିଆସିଲେ ଓ ତାଙ୍କର ଅଧ୍ୟାପନା ବୃତ୍ତିରେ ଯୋଗଦେଲେ।
ସାହାଣୀଙ୍କ ସାହିତ୍ୟ : ଭୀଷ୍ମ ସାହାଣୀଙ୍କ ସାହିତ୍ୟ ବହୁଭାବରେ ସମୃଦ୍ଧ। ତେବେ ବିଭାଜନ ଓ ତା’ର ଧ୍ୱଂସ ତାଣ୍ଡବ ତାଙ୍କ ସାହିତ୍ୟକୁ ଅତ୍ୟଧିକ ପ୍ରଭାବିତ କରିଥିବା ଦେଖିବାକୁ ମିଳେ। ତାହାର ଏକ ଉଦାହରଣ ହେଉଛି ଉପନ୍ୟାସ ‘ତାମସ’। ବିଭାଜନକୁ ନେଇ କିଭଳି ରାଜନୀତି କରାଯାଇଥିଲା ଆଉ ସେଥିରେ କିପରି ସାଧାରଣ ଲୋକେ ବଳି ପଡ଼ିଥିଲେ ତାହାର ଏକ ମାର୍ମିକ ଚିତ୍ର ସେ ପ୍ରଦାନ କରିଥିଲେ ଉପନ୍ୟାସ ‘ତାମସ’ରେ। ଉପନ୍ୟାସଟି ଇଂଲିଶ ସମେତ ଫ୍ରେଞ୍ଚ, ଜର୍ମାନ ଆଦି ବହୁ ବୈଦେଶିକ ଭାଷା ତଥା ଅନେକ ଆଞ୍ଚଳିକ ଭାଷାରେ ମଧ୍ୟ ଅନୁଦିତ ହୋଇ ତାଙ୍କୁ ସଫଳତା ଆଣିଦେଇଥିଲା। ୨୦୦୩ ଜୁଲାଇ ୧୧ ତାରିଖରେ ଏହି ଯୋଗଜନ୍ମା ବ୍ୟକ୍ତିତ୍ୱଙ୍କର ଦେହାନ୍ତ ଘଟିଥିଲା।