ଲକ୍‌ଡାଉନ ଯୋଗୁ ଏମ୍‌ଏସ୍‌ଏମ୍‌ଇ ପ୍ରଭାବିତ: କେନ୍ଦ୍ରୀୟ ସହାୟତା ଲୋଡ଼ିିଲା ରାଜ୍ୟ

ଭୁବନେଶ୍ୱର,୧୨।୪(ବ୍ୟୁରୋ): ବିଶ୍ୱବ୍ୟାପୀ କରୋନାଜନିତ ଭୟାବହତାକୁ ନେଇ ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)କ୍ଷେତ୍ର ପ୍ରାୟତଃ ବନ୍ଦ ହୋଇ ପଡ଼ିଥିବା ଯୋଗୁ ଏ କ୍ଷେତ୍ରରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଏ ନେଇ ଶନିବାର ବିଭାଗୀୟ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ରସାୟନ ଓ ସାର ମନ୍ତ୍ରୀ ସଦାନନ୍ଦ ଗୌଡ଼ା ଏବଂ କେନ୍ଦ୍ରମନ୍ତ୍ରୀ ଫଗନ୍‌ ସିଂ କୁଲସ୍ତେଙ୍କ ସହ ଫୋନ୍‌ରେ ଆଲୋଚନା କରିଛନ୍ତି । ରାଜ୍ୟରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ଲକ୍‌ଡାଉନ୍‌ ପାଇଁ ବିଶେଷ ପ୍ରଭାବିତ ହୋଇଛି । ଶ୍ରମିକମାନେ ତାଙ୍କର ବେଉସା ହରାଇ ହାତ ବାନ୍ଧି ବସିବାକୁ ବାଧ୍ୟ ହୋଇଛନ୍ତି । ଶ୍ରମଜୀବୀମାନେ ବେରୋଜଗାର ହୋଇଥିବାରୁ ଏହି କ୍ଷେତ୍ରରେ ଜୀବିକା ଉପାର୍ଜନ କରୁଥିବା ବୃହତ୍‌ ବର୍ଗଙ୍କ ଅର୍ଥନୀତି ଦିଗ ହରାଇଛି। କରୋନା ପରେ ଅବସ୍ଥା ସ୍ବାଭାବିକ ହେଲେ ଏହି କ୍ଷେତ୍ରକୁ କିପରି ପୁଣିଥରେ ସଚଳ କରାଯାଇପାରିବ ସେଥିପାଇଁ କେନ୍ଦ୍ରୀୟ ସହଯୋଗର ସୁଯୋଗ ସୃଷ୍ଟି କରିବାକୁ ଦିବ୍ୟଶଙ୍କର କେନ୍ଦ୍ର ମନ୍ତ୍ରୀମାନଙ୍କୁ ଅନୁରୋଧ କରିଥିଲେ । ଦେଶର ଅର୍ଥନୀତିରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ଯୋଗଦାନର ଅଧିକ ଗୁରୁତ୍ୱ ରହିଛି । ତେଣୁ ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରକୁ ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିବାକୁ ସେ ସ୍ବତନ୍ତ୍ର ପ୍ୟାକେଜ୍‌ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ରଖିଥିବା ଗଣମାଧ୍ୟମକୁ ଜଣାଇଛନ୍ତି ।

Share