ତାଳଚେର,୨୭ା୪(ନି.ପ୍ର.)- ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନ ବ୍ୟାପୀ ଚାଲିଥିବା ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରା ଶୁକ୍ରବାର ଶେଷ ହୋଇଛି। ଅନ୍ତିମ ଦିବସରେ ମା’ଙ୍କ ଶୀତୁଳା ପୂଜା ସମ୍ପନ୍ନ ହୋଇଛି। ଅପରାହ୍ନରେ ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା ଆଲମକୁ ଶୋଭାଯାତ୍ରାରେ ଦିଅଁଘରୁ ପୀଠକୁ ଅଣାଯାଇଥିଲା। ସେଠାରେ ଦେହୁରୀ ଷୋଡଶ ଉପଚାର ପୂଜା କରି ମା’ଙ୍କ ଆରଧନା କରିଥିଲେ। ଏହାପରେ ପୀଠରେ ଥିବା ପାଞ୍ଚ ପୀଢ ଯଥା ମା’ ହିଙ୍ଗୁଳା, ମା’ କରଡେଇ, କୁଟେଇଶୁଣୀ, ଖୁମ୍ବେଶ୍ୱରୀ ଓ କଳାପାଟଙ୍କୁ ପୂଜା କରାଯାଇଥିଲା। ସନ୍ଧ୍ୟାରେ ମା’ଙ୍କ ଆଲମକୁ ଶୋଭାଯାତ୍ରାରେ ଉଭାସ୍ଥଳୀକୁ ନିଆଯାଇଥିଲା ା ଚଳିତ ବର୍ଷ ମନ୍ଦିରର ପୂର୍ବ ଦିଗରେ ପ୍ରାୟ ୩ ଶହ ମିଟର ଦୂର ପଡିଆରେ ମା’ ହିଙ୍ଗୁଳା ଅଗ୍ନିରୂପରେ ଉଭା ହୋଇଥିଲେ। ସେଠାରେ ଦେହୁରୀ ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ଙ୍କ ପଞ୍ଚୋପଚାର ପୂଜା କରିବା ସହ ଉଭାସ୍ଥଳୀରେ ଗୁଡ, ଘିଅ, ମହୁ, ନୈବେଦ୍ୟ ଆଦି ଅର୍ପଣ କରି ଅଗ୍ନିରୂପୀ ହିଙ୍ଗୁଳାଙ୍କୁ ଶୀତଳ କରାଇଥିଲେ। ପୂଜାରେ ତାଳଚେରର ରାଜା ରାଜେନ୍ଦ୍ର ଚନ୍ଦ୍ର ଦେବ ସପରିବାର ଉପସ୍ଥିତ ରହି ମା’ଙ୍କ ପୂଜାର୍ଚ୍ଚନା କରି ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ। ପରେ ଉଭାସ୍ଥଳୀରେ ଥିବା ଚାନ୍ଦୁଆ ଲାଗି ହୋଇଥିଲା। ଶେଷରେ ମନ୍ଦିରକୁ ମା’ ହିଙ୍ଗୁଳାଙ୍କ ଆଲାମକୁ ବିଜେ କରାଯାଇ ସେଠାରେ ଅଧରପଣା ନୀତି ସମ୍ପନ୍ନ ହୋଇଥିଲା। ପ୍ରବଳ ଖରା ଓ ଗରମ ସତ୍ତ୍ୱେ ଲକ୍ଷାଧିକ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିବାକୁ ଭିଡ଼ ଜମାଇଥିଲେ। ଶ୍ରଦ୍ଧାଳୁଙ୍କ ହରିବୋଲ, ହୁଳହୁଳି ଆଖପାଖ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଯାତ୍ରାସ୍ଥଳୀରେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ଭକ୍ତମାନଙ୍କୁ ମାଗଣାରେ ଦହି, ସରବତ, ଅନ୍ନଭୋଗ ବଣ୍ଟନ କରାଯାଇଥିଲା। ସେହିପରି ଆଉ କେତେକ ସଂସ୍ଥା ଯାତ୍ରାରେ ଥିବା ଭିନ୍ନକ୍ଷମମାନଙ୍କୁ ନିତ୍ୟ ବ୍ୟବହୃତ ଜିନିଷ ଦାନ କରୁଥିଲେ। ସନ୍ଧ୍ୟାରେ ୧୭ତମ ଲୋକ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି ା