ଲକ୍ଷ୍ନୌ, ୧୯।୭: ଉତ୍ତର ପ୍ରଦେଶର ସୋନଭଦ୍ର ଜିଲାର ଘୋରାବଲ କୋତବାଲୀ ଅଞ୍ଚଳର ମୂର୍ତ୍ତିଆ ଗାଁରେ ଜମି ବିବାଦକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ରକ୍ତ ସଂଘର୍ଷ ଘଟି ୧୦ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ୨୦ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ୧୪୪ ଧାରା ଜାରି କରାଯାଇଛି। କଂଗ୍ରେସ ମହାସଜିବ ପ୍ରିୟଙ୍କା ଗାନ୍ଧୀ ଶୁକ୍ରବାର ପୀଡିତଙ୍କ ପରିବାରକୁ ଭେଟିବାକୁ ଯାଇଥିଲେ ମଧ୍ୟ ସେଠାରେ ପୋଲିସ ତାଙ୍କୁ ଭେଟିବାକୁ ଦେଇ ନ ଥିଲା। ଏହାକୁ ବିରୋଧ କରି ନାରାୟଣପୁରରେ ଧାରଣାରେ ବସିଛନ୍ତି ପ୍ରିୟଙ୍କା। ସେ କହିଛନ୍ତି,ମୁଁ କେବଳ ପୀଡିତଙ୍କ ପରିବାରକୁ ଭେଟିବାକୁ ଯିବି, ମୋ ସହ ମାତ୍ର ୪ ଲୋକ ଯିବେ, ତଥାପି ପୋଲିସ ଆମକୁ ଯିବାକୁ ଦେଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।