ନୂଆଦିଲ୍ଲୀ,୧୫-୧୨: ଆଣ୍ଟି ବାୟୋଟିକ, ଆଣ୍ଟି ଆଲର୍ଜିକ, ମ୍ୟାଲେରିଆ ଏବଂ ଭିଟାମିନ ସି ଭଳି ୨୧ ଗୁରୁତ୍ୱପୂର୍ଣ୍ଣ ଔଷଧର ମୂଲ୍ୟ ବଢିବ। ଏହି ଔଷଧର ମୂଲ୍ୟ ୫୦% ବଢାଇବା ଲାଗି କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଔଷଧ ମୂଲ୍ୟ ନିୟାମକ ଏନ୍ପିଏଏ ପକ୍ଷରୁ ଶୁକ୍ରବାର କୁହାଯାଇଛି ଯେ, ଏହି ଔଷଧଗୁଡିକର ମୂଲ୍ୟ ୫୦% ବଢାଯାଇ ପାରିବ। ମୂଲ୍ୟରେ ପରିବର୍ତ୍ତନ ନେଇ ଅନେକ ଦିନ ହେବ ଫାର୍ମା ସେଣ୍ଟର ପକ୍ଷରୁ ସରକାରଙ୍କ ନିକଟରେ ଦାବି ହୋଇ ଆସୁଥିଲା। ଔଷଧ ପ୍ରସ୍ତୁତ ହେଉଥିବା ସାମଗ୍ରୀ ମୂଲ୍ୟ ବଢିଥିବାରୁ ଏହାକୁ ନେଇ କମ୍ପାନୀଗୁଡିକ ସରକାରଙ୍କୁ ଉକ୍ତ ପ୍ରସଙ୍ଗରେ ବିଚାର କରିବାକୁ କହିଥିଲେ। ସରକାର ଏହାକୁ ଧ୍ୟାନରେ ରଖି ସିଲିଂ ପ୍ରାଇସ ବା ମୂଳ ମୂଲ୍ୟରେ ପରିବର୍ତ୍ତନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଔଷଧ ପ୍ରସ୍ତୁତି ଲାଗି ବିଭିନ୍ନ କମ୍ପୋନେଣ୍ଟ ଚାଇନାରୁ ଆସିଥାଏ। ହେଲେ ବାଣିଜ୍ୟ ଯୁଦ୍ଧ ପରେ ଏଥିରେ ଅନେକ ପରିମାଣରେ ମୂଲ୍ୟ ବୃଦ୍ଧି ଘଟିଛି। ଯାହା ଫଳରେ କମ୍ପାନୀଗୁଡିକ ଏଥିବାବଦ ଅଧିକ ଖର୍ଚ୍ଚ କରିବାକୁ ପଡୁଥିବା ସେମାନେ ସୂଚନା ଦେଇଛନ୍ତି।