୪ଟି ବସ୍‌ ଯୋଗେ ସୁରତରୁ ଗଞ୍ଜାମ ଫେରୁଛନ୍ତି ୨୨୮ ଶ୍ରମିକ: ନିଜ ପଞ୍ଚାୟତ ଆଇସୋଲଶନ ସେଣ୍ଟରରେ ରହିବେ ୧୪ ଦିନ

ଛତ୍ରପୁର, ୨୮।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ୨୨୮ ଶ୍ରମିକ ନିଜ ଖର୍ଚ୍ଚରେ ୪ଟି ବସ୍‌ ଯୋଗେ ସୁରତରୁ ଗଞ୍ଜାମ ଫେରୁଥିବା ନେଇ ଗଞ୍ଜାମ ଜ଼ିଲା ପ୍ରଶାସନକୁ ଖବର ମିଳିଛି। ସୋମବାର ସୁରତରୁ ବାହାରିଥିବା ଉକ୍ତ ବସ୍‌ଗୁଡିକ ବୁଧବାର ସକାଳେ ଗଞ୍ଜାମ ଜ଼ିଲାରେ ପହଞ୍ଚିବ ବୋଲି ଜଣାପଡିଛି । ଏ ସମ୍ପର୍କରେ ଗଞ୍ଜାମ ଜିଲା ପ୍ରଶାସନକୁ ଖବର ଆସିବା ପରେ ପ୍ରଶାସନ ସଜାଗ ହୋଇଉଠିଛି। ଜ଼ିଲା ସୀମାନ୍ତରେ ସମସ୍ତେ ପହଞ୍ଚିବା ପରେ ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ନିକଟ ବସ୍‌ ଟର୍ମିନାଲକୁ ଅଣାଯିବ। ସେଠାରେ ସମସ୍ତଙ୍କର ସ୍କ୍ରିନିଂ କରାଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ପରେ ସମସ୍ତଙ୍କୁ ନିଜ ପଞ୍ଚାୟତ ଆଇସୋଲଶନ ସେଣ୍ଟରରେ ୧୪ ଦିନ କ୍ୱାରାଣ୍ଟାଇନରେ ରଖାଯିବ ବୋଲି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି। ଏଥିସହ ଛତ୍ରପୁର ବସ୍‌ ଟର୍ମିନାଲରେ ମଧ୍ୟ ସୁରତ ଫେରନ୍ତାଙ୍କୁ ରିସିଭ କରାଯାଇପାରିବ ବୋଲି ସୂଚନା ଦିଆଯାଇଛି। ବ୍ରହ୍ମପୁର ଉର୍ଣ୍ଣୟନ କର୍ତ୍ତୃପକ୍ଷ(ବିଡିଏ) ଏଥିରେ ସହଯୋଗ କରିବେ। ଛତ୍ରପୁରସ୍ଥିତ କୋଭିଡ ସେଲ ଏହାର ମନିଟରିଂ କରୁଛନ୍ତି । ଫ୍ଲୁ ସହ ଜ୍ୱର ଥିଲେ ସେମାନଙ୍କର ସ୍ବାବ ଟେଷ୍ଟିଙ୍ଗ କରାଯିବ।

Share