Categories: ଜାତୀୟ

ଭୂସ୍ଖଳନରେ ୧୮ ମୃତ, ୬୭ ନିଖୋଜ

ଥିରୁଭାନନ୍ତପୁରମ୍‌, ୮।୮: କେରଳର ଇଡୁକ୍କି ଜିଲାରେ ଶୁକ୍ରବାର ସକାଳେ ପ୍ରବଳ ବର୍ଷାଜନିତ ଭୂସ୍ଖଳନ ଯୋଗୁ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ୧୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମୁନ୍ନାରସ୍ଥିତ ଟାଟା ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ୬୭ ଜଣ ନିଖୋଜ ଥିବା କୁହାଯାଉଛି।
ପ୍ରବଳ ବର୍ଷା କେରଳ ପାଇଁ ଦୁଃଖ ଆଣିଦେଇଛି। ପର୍ଯ୍ୟଟନ ସହର ମୁନ୍ନାରଠାରୁ ୨୫ କିଲୋମିଟର ଦୂରରେ ରାଜମଲାଇରେ ବର୍ଷା ଯୋଗୁ ଭୂଖସ୍ଖଳନ ହୋଇଛି। ଶତାଧିକ ଲୋକ ବସବାସ କରୁଥିବା ଉକ୍ତ ଅଞ୍ଚଳକୁ ସଂଯୋଗ କରୁଥିବା ଏକ ପୋଲ ଗୁରୁବାର ବର୍ଷାରେ ଭାସିଯାଇଥିଲା। ତେଣୁ ସେଠାକୁ ଯାଇ ଲୋକଙ୍କୁ ଉଦ୍ଧାର କରାଯାଇ ପାରିନାହିଁ। ଖରାପ ପାଗ ଯୋଗୁ ଉଦ୍ଧାରକାରୀ ଦଳ ଅଗ୍ରସର ହୋଇପାରୁ ନ ଥିବା ତାଲୁକ୍‌ ଅଫିସର କହିଛନ୍ତି। ଭୂସ୍ଖଳନରେ ଏତେ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମର୍ମାହତ ବୋଲି ଟୁଇଟ୍‌ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ରିଲିଫ ପାଣ୍ଠିରୁ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଏବଂ ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି। ଅଗ୍ନିଶମ ବିଭାଗର ଏକ ୫୦ ଜଣିଆ ସ୍ପେଶାଲ ଟାସ୍କଫୋର୍ସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି। ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବାୟୁସେନା ହେଲିକପ୍ଟରର ସହାୟତା ଲୋଡ଼ାଯାଇଛି। ଇତିମଧ୍ୟରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌) ଟିମ୍‌ ଭୂସ୍ଖଳନ ସ୍ଥଳରେ ପହଞ୍ଚତ୍ଛି। ଥ୍ରିସୁରରୁ ଅନ୍ୟ ଏକ ଟିମ୍‌ ଘଟଣାସ୍ଥଳକୁ ଯାଉଥିତ୍ବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହିତ ପୋଲିସ, ଅଗ୍ନିଶମ କର୍ମଚାରୀ, ଜଙ୍ଗଲ ଓ ରାଜସ୍ବ ଅଧିକାରୀମାନଙ୍କୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହେବା ଲାଗି ପରାମର୍ଶ ଦିଆଯାଇଛି।

Share