ନୂଆଦିଲ୍ଲୀ,୨୮।୭: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର ପ୍ରଥମ ଯୁଦ୍ଧବିମାନବାହୀ ରଣତରୀ ବିକ୍ରାନ୍ତକୁ ଗୁରୁବାର ନୌସେନାକୁ ହସ୍ତାନ୍ତର କରାଯାଇଛି। କୋଚି ସ୍ଥିତ ଶିପ୍ୟାର୍ଡରୁ ଏହା ନୌସେନାରେ ସାମିଲ ହୋଇ ଏକ ଇତିହାସ ସୃଷ୍ଟି କରିଛି। ଭାରତୀୟ ନୌସେନାର ଇନ୍ହାଉସ ଡାଇରେକ୍ଟୋରେଟ୍ ଅଫ୍ ନାଭାଲ ଡିଜାଇନ୍ (ଡିଏନ୍ଡି) ଯୁଦ୍ଧଜାହାଜ ବିକ୍ରାନ୍ତର ଡିଜାଇନ୍ ପ୍ରସ୍ତୁତ କରିଥିବା ବେଳେ କୋଚି ଶିପ୍ୟାର୍ଡ ଲିମିଟେଡ (ସିଏସ୍ଏଲ୍) ଏହାକୁ ନିର୍ମାଣ କରିଛି। ୨୬୨ ମିଟର ଲମ୍ବ ବିଶିଷ୍ଟ ଏହି ଯୁଦ୍ଧଜାହାଜର ପରିବହନ କ୍ଷମତା ୪୫ ହଜାର ଟନ୍, ଯାହା ପୂର୍ବ ବିକ୍ରାନ୍ତଠାରୁ ଯଥେଷ୍ଟ ବଡ଼ ଓ ଅତ୍ୟାଧୁନିକ। ୪ ଗ୍ୟାସ୍ ଟର୍ବାଇନ୍ରୁ ଜାହାଜଟି ମୋଟ ୮୮ ମେଗାଓ୍ବାଟ ପାଓ୍ବାର ପାଇଥାଏ ଓ ଏହାର ସର୍ବାଧିକ ଘଣ୍ଟାପ୍ରତି ବେଗ ୨୮ ନଟ୍ (୫୧.୮୫୬ କିଲୋମିଟର)। ଯୁଦ୍ଧଜାହାଜ ନିର୍ମାଣରେ ୨୦ ହଜାର କୋଟି ଟଙ୍କା ବ୍ୟୟ ହୋଇଛି।