ଛତ୍ରପୁର,୨୫ା୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଡିଆରଡିଏ ଛକ ନିକଟ ଜାତୀୟ ରାଜପଥରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଡିଭାଇଡରରେ ବାଇକ୍ ପିଟି ହେବାରୁ ୨ ଆରୋହୀଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ବ୍ରହ୍ମପୁର ସହର ବ୍ରହ୍ମାନଗର ଅଞ୍ଚଳର ସୁମନ ଦାସ ଓ ହିଞ୍ଜିଳିକାଟୁ ବ୍ଲକ କଞ୍ଚୁରୁର ଦଣ୍ଡ ପାଳ। ଉଭୟେ ବାଇକ୍ (ନଂ.ଓଡି ୦୭ ୫୭୨୦) ଯୋଗେ କୌଣସି କାମରେ ବ୍ରହ୍ମପୁରରୁ ବାଲୁଗାଁ ଅଭିମୁଖେ ଯାଉଥିଲେ। ଛତ୍ରପୁର ଡିଆର୍ଡିଏ ଛକ ନିକଟରେ ଭାରସାମ୍ୟ ହରାଇ ବାଇକ୍ଟି ଡିଭାଇଡର ଉପରକୁ ଉଠି ଗ୍ରୀଲରେ ପିଟି ହୋଇଯାଇଥିଲା। ଫଳରେ ଆରୋହୀ ଦ୍ୱୟ ରାସ୍ତା ପାର୍ଶ୍ୱକୁ ଛିଟିକି ପଡିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଛତ୍ରପୁର ଥାନା ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚତ୍ ମୃତଦେହଗୁଡିକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ । ଏ ନେଇ ଛତ୍ରପୁର ଥାନାରେ ନଂ.୪୯୫/୨୨ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।