Categories: ଜାତୀୟ

କୃଷିକୁ ଅବଦାନ ପାଇଁ ୩ ଓଡ଼ିଆ ପୁରସ୍କୃତ

ନୂଆଦିଲ୍ଲୀ,୧୯ା୭: କୃଷି ଓ ଆନୁଷଙ୍ଗିକ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ୩ ଜଣ ଓଡ଼ିଆଙ୍କୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପୁରସ୍କୃତ କରିଛନ୍ତି। ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର୍‌)ର ପ୍ରତିଷ୍ଠା ଦିବସ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପ୍ରାକୃତିକ ସମ୍ବଳ ପରିଚାଳନା ଓ କୃଷି ଇଞ୍ଜିନିୟରିଂ ଲାଗି ଆଇସିଏଆର୍‌/ଏନ୍‌ଆର୍‌ଆର୍‌ଆଇ କଟକର ବରିଷ୍ଠ ବୈଜ୍ଞାନିକ ଡ. ମହମ୍ମଦ ଶାହିଦଙ୍କୁ ୨୦୧୯ ବର୍ଷ ପାଇଁ ଲାଲ୍‌ବାହାଦୁର ଶାସ୍ତ୍ରୀ ଆଉଟଷ୍ଟାଣ୍ଡିଂ ୟଙ୍ଗ୍‌ ସାଇଣ୍ଟିଷ୍ଟ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ସେହିପରି ବରଗଡ ଜିଲାର କୃଷକ ସୁଦାମ ସାହୁଙ୍କୁ ଜଗଜ୍ଜୀବନ ରାମ ଇନୋଭେଶନ ଆଓ୍ବାର୍ଡ ୨୦୧୯ ଏବଂ ଆଇସିଏଆର୍‌/ଆଇଏଆର୍‌ଆଇ ଦିଲ୍ଲୀର ପ୍ରମୁଖ ବୈଜ୍ଞାନିକ ଡ. ପ୍ରମୋଦ କୁମାର ସାହୁଙ୍କୁ କୃଷି ଓ ଆନୁଷଙ୍ଗିକ ବିଜ୍ଞାନରେ ଲେଖିଥିବା ବୈଷୟିକ ପୁସ୍ତକ ପାଇଁ ରାଜେନ୍ଦ୍ର ପ୍ରସାଦ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ ମନ୍ତ୍ରୀ ତୋମାର କୃଷି ବୈଜ୍ଞାନିକମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ବୈଜ୍ଞାନିକମାନଙ୍କ ଗବେଷଣା ଯୋଗୁ ଭାରତ ଆଜି ଖାଦ୍ୟଶସ୍ୟରେ ବଳକା ରାଷ୍ଟ୍ରରେ ପରିଣତ ହୋଇପାରିଛି ବୋଲି ତୋମାର କହିଥିଲେ।

Share