ନୂଆଦିଲ୍ଲୀ, ୩୧।୭ : ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗତ କିଛି ଦିନ ହେବ ହେଡଲାଇନରେ ରହିଆସିଛି। କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଇଡ଼ିର ପଚରାଉଚରାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ଦଳର ନେତା ଓ କର୍ମୀମାନେ ଏହା ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ଇଡି ପଚରାଉଚରା ମଧ୍ୟରେ ଏଥିରେ ପଞ୍ଜୀକୃତ ହୋଇଥିବା ମାମଲାଗୁଡ଼ିକର ସଫଳତା ବିଷୟରେ ମଧ୍ୟ ପ୍ରଶ୍ନ ଉଠିଛି। ଏହା ସହିତ, ପିଏମ୍ଏଲଏ ଅର୍ଥାତ ମନି ଲଣ୍ଡରିଂ ଆକ୍ଟ ଉପରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।
ବୈଦେଶିକ ବିନିମୟ ନିୟମାବଳୀ ଅଧିନିୟମ, ୧୯୪୭ (ଫେରା ୪୭) ଅନୁଯାୟୀ ଅର୍ଥ ମନ୍ତ୍ରଣାଳୟରେ ଏକ ଏନଫୋର୍ସମେଣ୍ଟ ୟୁନିଟ ଗଠନ ହେବାପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ୧ ମେ ୧୯୫୬ ରେ ପ୍ରତିଷ୍ଠିତ ହୋଇଥିଲା। ଏହି ୟୁନିଟ ବୈଦେଶିକ ମୁଦ୍ରା ନିୟନ୍ତ୍ରଣ ନିୟମ ଉଲ୍ଲଂଘନ ସହ ଜଡିତ ମାମଲାଗୁଡ଼ିକର ମୁକାବିଲା କରିଥିଲା। ଦିଲ୍ଲୀର ମୁଖ୍ୟାଳୟ ସହିତ ମୁମ୍ବାଇ ଏବଂ କୋଲକାତାରେ ଏହାର ଶାଖା ମଧ୍ୟ ରହିଥିଲା।
୧୯୫୭ ରେ ଏନଫୋର୍ସମେଣ୍ଟ ୟୁନିଟର ନାମ’ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟରେ ପରିବର୍ତ୍ତିତ ହେଲା। ୧ ଜୁଲାଇ ୨୦୦୫ରେ ଏହାର କାର୍ଯ୍ୟକାରିତା ପରଠାରୁ, ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ପିଏମଏଲଏ ଅନ୍ତର୍ଗତ ୫,୪୨୨ ଇଡି ମାମଲା ପଞ୍ଜିକୃତ ହୋଇଛି। ସେଥିମଧ୍ୟରୁ କେବଳ ୨୫ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପଞ୍ଜୀକୃତ ହୋଇଥିବା ମୋଟ ମାମଲା ତୁଳନାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ ସଂଖ୍ୟା ମାତ୍ର ୦.୪୬ ପ୍ରତିଶତ।
ଇଡିର ୱେବସାଇଟ ଅନୁଯାୟୀ, ଏହାର ଓ୍ବାଣ୍ଟେଡ ତାଲିକାରେ ସମୁଦାୟ ୧୯ ଟି ନାମ ଅଛି। ସମସ୍ତଙ୍କ ବିରୋଧରେ ଏକ ରେଡ କର୍ନର ନୋଟିସ ଜାରି କରାଯାଇଛି। ଏହି ୧୯ ନାମ ମଧ୍ୟରୁ ସବୁଠାରୁ ପୁରାତନ ହେଉଛି ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ମାମଲାରେ ଅଭିଯୁକ୍ତ କାର୍ଲୋ ଭାଲେଣ୍ଟିନୋ ଫର୍ନାଣ୍ଡୋ ଜୋରେସା। ଡିସେମ୍ବର ୨୦୧୫ରେ ଜୋରେସାଙ୍କ ବିରୋଧରେ ଏହି ନୋଟିସ ଜାରି କରାଯାଇଥିଲା।
ପିଏନବି ସ୍କାମରେ ଅଭିଯୁକ୍ତ ନୀରବ ମୋଦି, ତାଙ୍କ ଭାଇ ନେହଲ ମୋଦି, ନୀଶଲ ମୋଦି, ପତ୍ନୀ ଅମି ମୋଦି, ନୀରବଙ୍କ ଘନିଷ୍ଠ ସହଯୋଗୀ ସୁଭାଷ ଶଙ୍କର ପାରବ, ଆଦିତ୍ୟ ନାନାବତୀଙ୍କ ବିରୋଧ ମଧ୍ୟ ରେଡ କର୍ନର ନୋଟିସ ଜାରି କରାଯାଇଛ। ଏହି ତାଲିକାରେ ଆର୍ମ ଡିଲର ସଞ୍ଜୟ ଭଣ୍ଡାରୀ, ପୂର୍ବତନ ଅମଲାତନ୍ତ୍ର ନୀତୀଶ ଜେ ଠାକୁର, ଏନଆରଆଇ ବ୍ୟବସାୟୀ ତଥା ଡ୍ରଗ୍ସ କାରବାର ଅଭିଯୁକ୍ତ ଅନୁପ ସିଂ କାହଲୋଙ୍କ ନାମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଛି।