Categories: ଜାତୀୟ

ସିବିଆଇ ଚାର୍ଜଶିଟ୍‌ରେ ୯ ପୋଲିସ

ହାଇଦ୍ରାବାଦ୍‌,୨୭।୯: ତାମିଲନାଡ଼ୁର ଟୁଟିକୋରିନ୍‌ ହାଜତ ମୃତ୍ୟୁ ମାମଲା ଏବେ ଗୁରୁଗମ୍ଭୀର ରୂପ ଧାରଣ କରିଛି। ବାପ-ପୁଅଙ୍କ ହାଜତ ମୃତ୍ୟୁକୁ ନେଇ ସିବିଆଇ ପକ୍ଷରୁ ୯ ପୋଲିସଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ଜୟରାଜ୍‌(୫୯) ଓ ପୁଅ ବେନିକ୍ସ(୩୧)ଙ୍କୁ ସତ୍ତନ୍‌କୁଲମ୍‌ ପୋଲିସ ଜୁନ୍‌ ୧୯ରେ ରାତିତମାମ୍‌ ହାଜତ୍‌ରେ ମାଡ଼ମାରି ନିର୍ଯାତନା ଦେବା ଘଟଣା ଜଣାପଡ଼ିବା ପରେ ସାଧାରଣରେ ସମାଲୋଚନା କରାଯାଇଛି। ପ୍ରକାଶଥାଉ କି, କଟକଣା ସତ୍ତ୍ୱେ ନିଜର ମୋବାଇଲ ଫୋନ୍‌ ଦୋକାନ ଖୋଲା ରଖିବା ଅଭିଯୋଗରେ ପୋଲିସ ବାପ-ପୁଅଙ୍କୁ ଗିରଫ କରିଥିଲା। ପୋଲିସ ଦୁହିଁଙ୍କୁ ହାଜତକୁ ଆଣି ଅକଥନୀୟ ନିର୍ଯାତନା ଦେବାରୁ ସେମାନଙ୍କ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା। ପୋଲିସ ମାଡ଼ରେ ବାପ-ପୁଅ ଗୁରୁତର ହୋଇଥିବା ପରିବାର ପକ୍ଷରୁ ମଧ୍ୟ ଅଭିଯୋଗ କରାଯାଇଥିଲା। ଏଭଳି ଘଟଣାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଶେଷରେ ମୁଖ୍ୟମନ୍ତ୍ରୀ ଇ. ପାଲାନିସାମୀ ମାମଲାର ସିବିଆଇ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଥିଲେ। ବିରୋଧୀ ଡିଏମ୍‌କେ ପକ୍ଷରୁ ଏଆଇଏଡିଏମ୍‌କେ ସରକାରକୁ ଏଥିଲାଗି ସମାଲୋଚନା କରାଯାଇଥିଲା। ପାଲାନିସାମୀ ସରକାରକୁ ଅଭିନେତାରୁ ରାଜନେତା ସାଜିଥିବା କମଲ ହାସନ୍‌ ମଧ୍ୟ ସମାଲୋଚନା କରିଥିଲେ।

Share