ବେଙ୍ଗାଲୁରୁ,୧୨।୯: ବେଙ୍ଗାଲୁରୁର ଜଣେ ଡାକ୍ତର ସେବାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ଟ୍ରାଫିକ ଜାମ୍ରେ ଅଟକି ଯାଇଥିବା ଏହି ଡାକ୍ତର ଜଣଙ୍କ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ତିନି କିଲୋମିଟର ଦୌଡ଼ିଥିଲେ ଏବଂ ଡାକ୍ତରଖାନାରେ ଠିକ ସମୟରେ ପହଞ୍ଚି ରୋଗୀର ସଫଳ ଅସ୍ତ୍ରୋପଚାର କରିଥିଲେ।
ଏହି ଘଟଣା ଅଗଷ୍ଟ ୩୦ରେ ଘଟିଥିବା କୁହାଯାଉଛି। ଡା.ଗୋବିନ୍ଦ ନନ୍ଦକୁମାର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିର ଜଣେ ସର୍ଜନ। ସେ ଘଟଣା ଦିନ ଜଣେ ରୋଗୀଙ୍କ ଜରୁରୀକାଳୀନ ଚିକିତ୍ସା ପାଇଁ ସରଜାପୁରସ୍ଥିତ ମଣିପାଲ ହସ୍ପିଟାଲକୁ ଯାଉଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କ କାର ଟ୍ରାଫିକ ଜାମରେ ଅଟକି ଯାଇଥିଲା। ଏହା ପରେ ଉପାୟ ଖୋଜିବା ଆରମ୍ଭ କରିଥିଲେ।
ଜାମରେ ଫସି ରହିବା ପରେ ସେ ଗୁଗୁଲ ମ୍ୟାପ୍ରେ ଯାଞ୍ଚ କରିଥିଲେ। ପରେ କାର ଛାଡି ଡାକ୍ତରଖାନା ଆଡକୁ ଦୌଡିଥିଲେ। ସଠିକ ସମୟରେ ପହଞ୍ଚି ରୋଗୀଙ୍କ ସଫଳ ଅସ୍ତ୍ରୋପଚାର କରିଥିଲେ। ସେ ନିଜକୁ ଫିଟ ରଖୁଥିବାରୁ ଏତେ ବାଟ ଦୌଡିବାକୁ ସକ୍ଷମ ହୋଇଥିଲେ। ଫିଟ୍ ରହିବା ପାଇଁ ପ୍ରତିଦିନ ଜିମ୍ କରୁଥିବା ମଧ୍ୟ ସେ କହିଛନ୍ତି।