Categories: ବାଣିଜ୍ୟ

ଆୟକର ରିଟର୍ନରେ ଆସିବ ଗୋଟିଏ ଫର୍ମ

ନୂଆଦିଲ୍ଲୀ,୨ା୧୧: ଆୟକର ରିଟର୍ନ ଫାଇଲ କରିବା ପ୍ରକ୍ରିୟାକୁ ଆହୁରି ଅଧିକ ସରଳ କରିବାକୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଅଧୀନ ଆୟକର ବିଭାଗ ପକ୍ଷରୁ ଏକ ନୂଆ ପ୍ରସ୍ତାବ ଦିଆଯାଇଛି। ବିଶେଷକରି ଆୟକର ରିଟର୍ନ ଫାଇଲ କରିବାକୁ ଭିନ୍ନ ଭିନ୍ନ ଫର୍ମ ବଦଳରେ ଗୋଟିଏ ଫର୍ମ ପ୍ରଚଳନ ପାଇଁ ପ୍ରସ୍ତାବ ଦିଆଯାଇଛି। ଏ ନେଇ ସବୁ ପକ୍ଷ ଓ ଆୟକରଦାତାଙ୍କର ମତାମତ ପାଇଁ ମଧ୍ୟ ଆହ୍ବାନ କରାଯାଇଛି। ଆସନ୍ତା ଡିସେମ୍ବର ୧୫ ସୁଦ୍ଧା ସବୁ ବର୍ଗର ଲୋକ ଏ ପ୍ରସଙ୍ଗରେ ନିଜର ମତାମତ ଦେଇପାରିବେ। ସେହିଭଳି ପ୍ରସ୍ତାବିତ ନୂଆ ଫର୍ମରେ ଭର୍ଚୁଆଲ ଡିଜିଟାଲ ଆସେଟ୍‌ (କ୍ରିପ୍ଟୋକରେନ୍ସି ଇତ୍ୟାଦି) ସମ୍ପର୍କରେ ମଧ୍ୟ ସୂଚନା ପ୍ରଦାନ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ରହିବ। ଏପରିକି ଟ୍ରଷ୍ଟ ଓ ଅଣ-ଲାଭକାରୀ ସଂସ୍ଥା (ଏନଜିଓ) ବ୍ୟତୀତ ଅନ୍ୟ ସମସ୍ତ ପ୍ରକାରର ଟିକସଦାତାମାନେ ଏହି ଫର୍ମ ବ୍ୟବହାର କରି ଆୟକର ରିଟର୍ନ ଫାଇଲ କରିପାରିବେ। ଏବେ ଆୟକର ରିଟର୍ନ ପାଇଁ ୭ଟି ଭିନ୍ନ ଭିନ୍ନ ପ୍ରକାରର ଫର୍ମ ବ୍ୟବହାର କରିବାକୁ ପଡ଼ୁଛି।

Share