ରାଜଧାନୀ ପରେ ଏବେ ମୁମ୍ବାଇରେ ହାରୁଛି କରୋନା

ନୂଆଦିଲ୍ଲୀ, ୨୯।୭: ଭାରତରେ କରୋନା ମହାମାରୀ ଆତଙ୍କ ଦେଖାଦେଇଛି। ପୂର୍ବରୁ ଦିଲ୍ଲୀରେ କରୋନା ସଂକ୍ରମଣ ଧୀରେଧୀରେ କମୁଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ଏବେ ମୁମ୍ବାଇରେ ସମାନ ସ୍ଥିତି ଦେଖିବାକୁ ମିଳୁଛି। ଏଠାରେ କରୋନା ସଂକ୍ରମଣ ମଧ୍ୟ କମୁଛି। ଦିଲ୍ଲୀରେ ଲୋକଙ୍କଠାରେ ହର୍ଡ ଇମ୍ୟୁନିଟି ସୃଷ୍ଟି ହୋଇଥିବାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲା। ସେହିପରି ଏବେ ମୁମ୍ବାଇର ଝୁମ୍ପଡ଼ି ବସ୍ତି ଏବଂ ଅନ୍ୟ ଅଞ୍ଚଳରେ ଲୋକଙ୍କଠାରେ ହର୍ଡ ଇମ୍ୟୁନିଟି ସୃଷ୍ଟି ହୋଇଛି। ମୁମ୍ବାଇ ବସ୍ତି ଅଞ୍ଚଳର ୫୭ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡ଼ି ରହିଥିବା ଯାଞ୍ଚ୍‌ରୁ ଜଣାପଡ଼ିଛି। ଏସବୁ ଅଞ୍ଚଳରେ ବାସ କରୁଥିବା ୬ ହଜାର ୯୩୬ ଲୋକଙ୍କଠାରୁ ଜୁନ୍‌ର ପ୍ରଥମ ୧୫ ଦିନ ମଧ୍ୟରେ ନମୁନା ସଂଗ୍ରହ କରାଯାଇଥିଲା। ପରୀକ୍ଷାରୁ ଜଣାପଡ଼ିଥିଲା ଯେ, ଲୋକଙ୍କଠାରେ କରୋନା ଭୂତାଣୁ ବିରୋଧ ଆଣ୍ଟିବଡ଼ି ସୃଷ୍ଟି ହୋଇ ସାରିଛି। ମୁମ୍ବାଇରେ ବିନା ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିବା କୁହାଯାଉଛି। ଦେଶର କରୋନା ସଂକ୍ରମିତ ଅଞ୍ଚଳରେ ଯଦି ୭୫ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡ଼ି ସୃଷ୍ଟି ହୋଇଯିବ, ତେବେ ଆଉ କରୋନାର ଭୟ ରହିବ ନାହିଁ। ଏଭଳି ପ୍ରତିରୋଧକ କ୍ଷମତା ସୃଷ୍ଟି ହେବା ପ୍ରକ୍ରିୟାକୁ ଡାକ୍ତରୀ ଭାଷାରେ ହର୍ଡ ଇମ୍ୟୁନିଟି କୁହାଯାଇଥାଏ। ମୁମ୍ବାଇର ବସ୍ତି ଅଞ୍ଚଳରେ ବାସ କରୁଥିବା ଲୋକଙ୍କର ନମୁନା ପୁଣି ଥରେ ଯାଞ୍ଚ୍‌ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Share