Categories: ଜାତୀୟ

ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଲାଗି ଆମେରିକାରୁ ଆସିଲା ସ୍ବତନ୍ତ୍ର ବିମାନ; ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ରତା

ନୂଆଦିଲ୍ଲୀ, ୧।୧୦: ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସ୍ବତନ୍ତ୍ର ଭାବେ ନିର୍ମିତ ବି୭୭୭ ବିମାନ ଗୁରୁବାର ଆମେରିକାରୁ ଆସି ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛି। ଏହି ବିମାନ ପାଇଁ ଭାରତ ୨୦୧୮ରେ ବିମାନ ନିର୍ମାତା ବୋଇଙ୍ଗ କମ୍ପାନୀ ସହ ଡିଲ୍‌ କରିଥିଲା। ବୋଇଙ୍ଗ ପକ୍ଷରୁ ଗତ ଅଗଷ୍ଟରେ ଏୟାର ଇଣ୍ଡିଆକୁ ଏହି ସ୍ବତନ୍ତ୍ର ବିମାନ ହସ୍ତାନ୍ତର କରିବାର ଥିଲା। କିନ୍ତୁ କିଛି ଟେକ୍‌ନିକାଲ୍‌ କାରଣ ଯୋଗୁ ଏଥିରେ ବିଳମ୍ବ ହୋଇଥିଲା।
କଷ୍ଟମାଇଜ୍‌ କରିବାର କାର୍ଯ୍ୟ ଆମେରିକାରେ କରାଯାଇଥିଲା। ସୁରକ୍ଷାକୁ ଦୃଷ୍ଟିରେ ରଖି ଏଥିରେ ପରିବର୍ତ୍ତନ କରାଯାଇଛି। ଭାରତ ଗ୍ରହଣ କରିଥିବା ଏହି ବିମାନର ନାମ ‘ଏୟାର ଇଣ୍ଡିଆ ଓ୍ବାନ’ ରଖାଯାଇଛି। ବାୟୂସେନାର ଜଣେ ଅଧିକାରୀ କହିଛନ୍ତି, ଏୟାର ଇଣ୍ଡିଆର ନୁହେଁ ବରଂ ଭାରତୀୟ ବାୟୂସେନାର ପାଇଲଟ୍‌ ଏହି ବିମାନ ଉଡ଼ାଇବେ। ବର୍ତ୍ତମାନ ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ବି୭୪୭ ବିମାନ ଦ୍ୱାରା ବିଭିନ୍ନ ସ୍ଥାନକୁ ଯାତ୍ରା କରୁଛନ୍ତି।
ବିମାନକୁ ସୁରକ୍ଷା ଉପକରଣ ସହିତ ସଜ୍ଜାଯାଇଛି। ଯାହା ସବୁଠାରୁ ବଡ଼ ଆକ୍ରମଣକୁ ରୋକିପାରିବ। ଏହି ବିମାନ ଉପରେ କ୍ଷେପଣାସ୍ତ୍ର ଆକ୍ରମଣର କୌଣସି ପ୍ରଭାବ ପଡ଼ିବ ନାହିଁ। ଏହା ଆକ୍ରମଣ କରିବାକୁ ମଧ୍ୟ ସକ୍ଷମ। ଏହି ବିମାନର ସାମ୍ନା ଭାଗରେ ଏକ ଇଡବ୍ଲ୍ୟୁ ଜାମର ଲାଗିଛି, ଯାହା ଶତ୍ରୁର ରାଡାର ସଙ୍କେତକୁ ଅବରୋଧ କରିଥାଏ। ଫଳରେ କ୍ଷେପଣାସ୍ତ୍ର ଲକ୍ଷ୍ୟ ହରାଇଥାଏ। କେବଳ ଏତିକି ନୁହେଁ, ଏଥିରେ ଆଧୁନିକ ଏବଂ ସୁରକ୍ଷିତ ଉପଗ୍ରହ ସାଟେଲାଇଟ୍‌ ପ୍ରଣାଳୀ ସହିତ ସଜ୍ଜିତ ହୋଇଛି। ଯାହା ଫଳରେ ଦୁନିଆର ଯେକୌଣସି କୋଣରେ ଥାଇ ମଧ୍ୟ ଭିଭିଆଇପି ଅତ୍ୟନ୍ତ ନିରାପଦ ସହ ବାର୍ତ୍ତାଳପ କରିପାରିବେ।

Share