Categories: ଜାତୀୟ

ବାୟୁ ପ୍ରଦୂଷଣ: ଭାରତରେ ୧୬ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି

ନୂଆଦିଲ୍ଲୀ, ୨୧।୧୦: ବାୟୁ ପ୍ରଦୂଷଣ ଯୋଗୁ ପୃଥିବୀରେ ସଙ୍କଟ ଧୀରେଧୀରେ ଘନେଇ ଆସୁଛି। ପୃଥିବୀରେ ୨୦୧୯ରେ ୬୭ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ଭାରତରେ ୧୬ ଲକ୍ଷ ୭୦ ହଜାରରୁ ଅଧିକ ଲୋକଙ୍କର ଜୀବନ ବାୟୁ ପ୍ରଦୂଷଣ ନେଇଛି। ଏସମ୍ପର୍କରେ ବୁଧବାର ପ୍ରକାଶ ପାଇଥିବା ‘ଷ୍ଟେଟ୍‌ ଅଫ୍‌ ଗ୍ଲୋବାଲ ଏୟାର-୨୦୨୦’ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବାୟୁ ପ୍ରଦୂଷଣ ଯୋଗୁ ଷ୍ଟ୍ରୋକ୍‌, ହାର୍ଟ ଆଟାକ୍‌, ଡାଇବେଟିସ୍‌ ଆଦି ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି। ସେହିପରି ଫୁସଫୁସ କର୍କଟ ସମସ୍ୟା ମଧ୍ୟ ବଢିବାରେ ଲାଗିଥିବା ଏଥିରେ ଦର୍ଶାଯାଇଛି। ଆମେରିକାର ଦି ହେଲଥ୍‌ ଇଫେକ୍ଟ ଇନଷ୍ଟିଚ୍ୟୁଟ୍‌(ଏଚ୍‌ଇଆଇ) ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ଏହି ସଂସ୍ଥା ପରିବେଶ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରିଥାଏ। ପୃଥିବୀରେ ପ୍ରତିବର୍ଷ ୫ ଲକ୍ଷ ଶିଶୁଙ୍କର ଜନ୍ମ ହେବାର ଗୋଟିଏ ମାସ ମଧ୍ୟରେ ମୃତ୍ୟୁ ଘଟୁଥିବା ଏଥିରେ ପ୍ରକାଶ ପାଇଛି। ସେଥିମଧ୍ୟରୁ ଭାରତରେ ପ୍ରତିବଷ ଲକ୍ଷେ ୧୬ ହଜାର ଶିଶୁଙ୍କର ମୃତ୍ୟୁ ଜନ୍ମର ପ୍ରଥମ ମାସରେ ଘଟୁଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।

Share