ନୂଆଦିଲ୍ଲୀ: ମହାମାରୀ ସମୟରେ ପୁଣି ଥରେ ବିମାନ ଭଡ଼ା ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଶୁକ୍ରବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଘରୋଇ ବିମାନ ଚଳାଚଳର କମ୍ ସମୟ ସୀମା ଦରକୁ ୧୩ ରୁ ୧୬ %କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି। ଏହି ବର୍ଦ୍ଧିତ ଦର ଜୁନ୍ ପହିଲାରୁ ଲାଗୁ ହେବ ବୋଲି ସୂଚନା ମିଳିଛି। ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ, ୪୦ ମିନିଟ୍ରୁ କମ୍ ଘରୋଇ ଯାତ୍ରା ପାଇଁ ଭଡ଼ା ପ୍ରାୟ ୨,୩୦୦ ରୁ ୨,୬୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେବ, ଯାହା ବର୍ତ୍ତମାନର ଭଡ଼ାର ୧୩ % ଅଧିକ ବୋଲି କୁହାଯାଉଛି। ସେହିଭଳି ୪୦ ମିନିଟରୁ ଏକଘଣ୍ଟା ମଧ୍ୟରେ ଅବଧି ଥିବା ବିମାନଗୁଡ଼ିକର ସର୍ବନିମ୍ନ ୩,୩୦୦ ଟଙ୍କା ରହିବ। ସେହିପରି ୬୦-୯୦ମିନିଟ୍ ମଧ୍ୟରେ ବିମାନ ଉଡ଼ାଣ ପାଇଁ ୪,୦୦୦ ଟଙ୍କା ଏବଂ ୯୦-୧୨୦ ମିନିଟ୍ ପାଇଁ ୪,୭୦୦ ଟଙ୍କା ଓ ୧୫୦-୧୮୦ ମିନିଟ୍ ପାଇଁ ୬,୧୦୦ ଟଙ୍କା, ୧୮୦-୨୧୦ ମିନିଟରେ, ୭,୪୦୦ ଟଙ୍କା ଭଡ଼ା ବାବଦକୁ ଦେବାକୁ ପଡିବ।
ଉପରୋକ୍ତ ସମୟସୀମାରେ ବିମାନ ଭଡ଼ା ପ୍ରାୟ ୩୦୦ ରୁ ୧୦୦୦ ଟଙ୍କା କମ୍ ଦେବାକୁ ପଡୁଥିଲା। ଯାତ୍ରୀମାନଙ୍କର ବିମାନ ଯାତ୍ରାରେ ଚଳାଚଳର ବୃଦ୍ଧି ଘଟିଛି। କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ହଠାତ୍ କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ଦୀର୍ଘଦିନ ହେବ ଘରୋଇ ବିମାନଯାତ୍ରା ଓ ଯାତ୍ରୀ ବ୍ୟାପକ ଭାବେ ହ୍ରାସ ପାଇଛି। ଘରୋଇ ବିମାନ ଭଡ଼ା ମୂଲ୍ୟରେ ଟିକସ ଏବଂ ବିମାନବନ୍ଦର ବିକାଶ ଶୁଳ୍କ (ଏଡିଏଫ୍) ଅନ୍ତର୍ଭୁକ୍ତ ହେବ ନାହିଁ। ଏହାପୂର୍ବରୁ ଫେବୃୟାରୀ ୨୦୨୧ରେ ମନ୍ତ୍ରଣାଳୟ ଘରୋଇ ବିମାନର ନିମ୍ନ ଏବଂ ଉପର ସୀମାକୁ ୧୦ରୁ ୧୩ % କୁ ବୃଦ୍ଧି କରିଥିଲା।