ରାଞ୍ଚତ୍,୨୫।୮: ଝାଡ଼ଖଣ୍ଡରେ ବେଆଇନ ଖଣି ଖନନ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ଚଢ଼ାଉ ବେଳେ ଦୁଇଟି ଏକେ-୪୭ ରାଇଫଲ ଏବଂ ୬୦ ରାଉଣ୍ଡ ଗୁଳି ଜବତ ହୋଇଛି। ଇଡି ଅଧିକାରୀମାନେ ଝାଡ଼ଖଣ୍ଡ ସମେତ ବିହାର, ତାମିଲନାଡୁ ଓ ଦିଲ୍ଲୀର ପ୍ରାୟ ୨୦ଟି ସ୍ଥାନରେ ଚଢ଼ାଉ କରିଥିଲେ। ରାଞ୍ଚତ୍ର ଏକ ଘରୁ ଉପରୋକ୍ତ ଅସ୍ତ୍ର ଜବତ ହୋଇଛି। ଉକ୍ତ ଘର ସହ ସମ୍ପୃକ୍ତ ପ୍ରେମ ପ୍ରକାଶ ଖଣି ଦୁର୍ନୀତିରେ ସାମିଲ ଥିବା ଇଡି କହିଛି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ରାଜନୈତିକ ସହଯୋଗୀ ପଙ୍କଜ ମିଶ୍ରା ଓ ତାଙ୍କ ଘନିଷ୍ଠ ଭାବେ ଜଣାଶୁଣା ବଛୁ ଯାଦବଙ୍କୁ ଜେରା ବେଳେ ଦୁର୍ନୀତିରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା। ପୂର୍ବରୁ ମିଶ୍ରା ଓ ଯାଦବଙ୍କୁ ଗିରଫ କରାଯାଇଛି। ପ୍ରେମ୍ ପ୍ରକାଶଙ୍କର ମୁଖ୍ୟମନ୍ତ୍ରୀ ସୋରେନ୍ ଓ ତାଙ୍କ ପରିବାର ବନ୍ଧୁ ଅମିତ ଅଗ୍ରଓ୍ବାଲଙ୍କ ସହ ସମ୍ପର୍କ ରହିଥିବା ଭାଜପା ଏମ୍ପି ନିଶିକାନ୍ତ ଦୁବେ ଅଭିଯୋଗ କରିଛନ୍ତି। ସେ କିପରି ଏକେ-୪୭ ପାଇଲେ ଏବଂ ଏଥିସହିତ ଆତଙ୍କବାଦୀ ସମ୍ପୃକ୍ତ ରହିଛି କି ନାହିଁ ତାହାର ଏନ୍ଆଇଏ ତଦନ୍ତ ହେବା ଆବଶ୍ୟକ ବୋଲି ସ୍ବାଧୀନ ବିଧାୟକ ସରଯୁ ରାୟ ଦାବି କରିଛନ୍ତି।