ଅଲ୍ଲୁ ଅର୍ଜୁନ ଗିରଫ ମାମଲା: ମୃତ ମହିଳାଙ୍କ କେସ୍‌ ଉଠାଇ ନେଲେ

ନୂଆଦିଲ୍ଲୀ,୧୩।୧୨: ପୁଷ୍ପା-୨ ଫିଲ୍ମର ସ୍କ୍ରିନିଂ ଅବସରରେ ହାଇଦ୍ରାବାଦର ସଂଧ୍ୟା ଥିଏଟରରେ ଦଳଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ ହୋଇ ଜେଲ ଯାଇଥିଲେ। ଏହାପରେ ତେଲଙ୍ଗାନା ହାଇକୋର୍ଟରୁ ତାଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି। ନାମପଲ୍ଲୀ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ। ତେବେ ଏସବୁ ଖବର ଭିତରେ ଅଲ୍ଲୁ ଅର୍ଜୁନଙ୍କ ‘ଲୋକ ସଂପର୍କ ଟିମ’ ଦାବି କରିଛି ଯେ ମୃତ ମହିଳାଙ୍କ ସ୍ବାମୀ ମାମଲା ପ୍ରତ୍ୟାହାର କରିଛନ୍ତି।

ମୃତ ୩୯ ବର୍ଷୀୟା ମହିଳା ରେବତୀଙ୍କ ସ୍ବାମୀ ଭାସ୍କର କାଳେ କହିଛନ୍ତି, ମୁଁ ମାମଲା ଉଠାଇ ନେବାକୁ ପ୍ରସ୍ତୁତ ଅଛି। ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରାଯାଇଥିବା କଥା ମୁଁ ଜାଣି ନଥିଲି। ଏହି ଦଳାଚକଟା ସହିତ ତାଙ୍କର କିଛି ଭୂମିକା ନାହିଁ, ଯେଉଁଥିରେ ମୋ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି।

ଆଜି ସକାଳେ ଅଲ୍ଲୁ ଅର୍ଜୁନଙ୍କୁ ପୋଲିସ ଗିରଫ କରିବା ପରେ ଚିକ୍କଡପଲ୍ଲୀ ଥାନାକୁ ନେଇଥିଲା। ସେଠାରୁ ତାଙ୍କୁ ଡାକ୍ତରଖାନା ନେଇ ସ୍ବାସ୍ଥ୍ୟ ଯାଞ୍ଚ କଲା ପରେ ନାମପଲ୍ଲୀ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଅନ୍ୟପକ୍ଷରେ ଏହି ମାମଲାରେ ଜରୁରୀ ଶୁଣାଣି କରିବାକୁ ଅଲ୍ଲୁ ଅର୍ଜୁନଙ୍କ ପକ୍ଷରୁ ତେଲଙ୍ଗାନା କୋର୍ଟରେ ଏକ ଆବେଦନ କରାଯାଇଛି।

Share