Categories: ଜାତୀୟ

ବାବ୍ରି ଭଙ୍ଗା ମାମଲା: ଷଡ଼ଯନ୍ତ୍ର ନା କରସେବକଙ୍କ କ୍ରୋଧ କିଏ ଦାୟୀ, ବୁଧବାର ଫଇସଲା

ନୂଆଦିଲ୍ଲୀ, ୨୯।୯: ବାବ୍ରି ମସଜିଦ୍‌ ଭଙ୍ଗା ମାମଲାର ରାୟ ବୁଧବାର ଆସିବ। ମସଜିଦ୍‌ ଭଙ୍ଗା ପାଇଁ ଷଡ଼ଯନ୍ତ୍ର ହୋଇଥିଲା ନା କରସେବକଙ୍କ ମଧ୍ୟରେ ଦୀର୍ଘଦିନ ଧରି ସୃଷ୍ଟି ହୋଇଥିବା କ୍ରୋଧ ଯୋଗୁ ଏଭଳି ହୋଇଥିଲା, ଏହାର ଫଇସଲା କୋର୍ଟ କରିବେ। ଏଠାରେ କରସେବା କରାଯିବାର ଯୋଜନା ଥିଲା। ତେବେ ଶହ ଶହ ସଂଖ୍ୟାରେ କରସେବକ ଯୋଗଦେବାରୁ ପରିସ୍ଥିତି ଅଣାୟତ ହୋଇଥିଲା ବୋଲି ଉତ୍ତରପ୍ରଦେଶର ତତ୍‌କାଳୀନ ଭାଜପା ସରକାର କୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ଏନେଇ ଲକ୍ଷ୍ନୌସ୍ଥିତ ସ୍ପେଶାଲ ସିବିଆଇ କୋର୍ଟ ପକ୍ଷରୁ ଲାଲ୍‌କୃଷ୍ଣ ଆଡ଼ଓ୍ବାଣୀ, ମୂରଲୀ ମନୋହର ଯୋଶୀ, କଲ୍ୟାଣ ସିଂ, ବିନୟ କଟିଆର, ମହନ୍ତ ନୃତ୍ୟ ଗୋପାଳ ଦାସ, ସାଧ୍ୱୀ ରିତମ୍ଭରା, ଉମା ଭାରତୀଙ୍କ ସମେତ ୩୨ ଜଣ ଅଭିଯୁକ୍ତଙ୍କୁ ଉପସ୍ଥିତ ରହିବାକୁ ସେପ୍ଟେମ୍ବର ୧୬ରେ ନୋଟିସ୍‌ ଜାରି ହୋଇଥିଲା। ଏହି ମାମଲାରେ ୪୯ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୧୭ ଜଣଙ୍କ ମୃତ୍ୟୁ ଘଟି ସାରିଛି। ୨୮ ବର୍ଷ ତଳେ ୧୯୯୨ ଡିସେମ୍ବର ୬ରେ ଅଭିଯୁକ୍ତମାନେ ବାବ୍ରି ମସଜିଦ୍‌ ଭଙ୍ଗାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ସ୍ପେଶାଲ ସିବିଆଇ କୋର୍ଟ ବିଚାରପତି ସୁରେନ୍ଦ୍ର କୁମାର ଯାଦବ ଏନେଇ ନୋଟିସ୍‌ ଜାରି କରିଥିଲେ। ଏହି ମାମଲାର ବିଚାର ଧାର୍ଯ୍ୟ ସମୟରେ କରିବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ଆଧାରରେ ସ୍ପେଶାଲ କୋର୍ଟ ପକ୍ଷରୁ ଉଦ୍ୟମ ଜାରି ରହିଛି। ତେବେ ଉମା ଭାରତୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଥିବାରୁ ସେ କୋର୍ଟରେ ଉପସ୍ଥିତ ରହି ପାରିବେନି ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଏହି ମାମଲାରେ କୋର୍ଟରେ ୬୦୦ ତଥ୍ୟ ସମ୍ବଳିତ ପ୍ରମାଣ ଦାଖଲ କରାଯାଇଥିବାବେଳେ ୩୫୧ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା।

Share