ଆନନ୍ଦପୁର,୯ା୬(ସ୍ବ.ପ୍ର.): ଉତ୍କଳର ପ୍ରାଚୀନ ଗଙ୍ଗା ପୁଣ୍ୟତୋୟା ବୈତରଣୀ। କେନ୍ଦୁଝର ଜିଲାର ଗୋନାସିକା ଗୀରି କନ୍ଦରରୁ ଜନ୍ମ ଲାଭ କରି ନିମ୍ନ ଶଯ୍ୟାକୁ ବୋହିଯାଇ ତା’ର ସୁଶୀତଳ ଜଳ ଧାରାରେ କେତେ ପ୍ରାଣୀଙ୍କୁ ଆତ୍ମସନ୍ତୋଷ ପ୍ରଦାନ କରିଛି। ବନଭୂମୀ ଦେଇ ବହି ଆସିଥିବାରୁ ଏହାର ଜଳକୁ ଔଷଧୀୟ ଜଳ ବୋଲି ବିବେଚନା କରାଯାଇଥାଏ। ରାଜରାଜୁଡା ଅମଳରୁ ଏହାର କୂଳରେ ବହୁ ଶୈବପୀଠ ବିରାଜମାନ କରି ଜନମାନସରେ ଭକ୍ତି ଭାବାତ୍ମକ ମନୋଭାବ ସୃଷ୍ଟି କରିଛି। ଶାସ୍ତ୍ରୀୟ ମତରେ ଗଙ୍ଗାଠାରୁ ପ୍ରାଚୀନ ଏହି ନଦୀ ଗୋ ମାତାଙ୍କ ନାସିକାରୁ ସୃଷ୍ଟି ହୋଇଥିବାରୁ ଏହା ପୁଣ୍ୟତମ ବୋଲି ମଧ୍ୟ ବିବେଚନା କରାଯାଇଥାଏ। ବର୍ଷର ବିଭିନ୍ନ ସମୟରେ ଏହି ନଦୀର ଜଳରାଶିରେ ସ୍ନାନ ତର୍ପଣ କରି ପାପକ୍ଷୟ ହୋଇଥାଏ ବୋଲି ଲୋକମତ ରହିଛି।
ବୈତରଣୀ କଳ କଳ ଜଳରବରେ ବହି ଚାଲିଥିଲା। ଏହାର ଶୋଭାରାଶି କେନ୍ଦୁଝର ବନଭୂମିକୁ ଶୋଭାମୟ କରୁଥିଲା। ଏହାର କୂଳର ଚାଷବାସ ସବୁଜିମାମୟ ପରିବେଶ ସୃଷ୍ଟି କରୁଥିଲା। ମନ୍ତ୍ର ଧ୍ୱନୀରେ ଏହାର ତଟଦେଶ ମୁଖରିତ ହେଉଥିଲା। ହେଲେ ଏହି ବୈତରଣୀ ଆଜିକା ଦିନରେ ବହୁ ସମସ୍ୟା ଦେଇ ଗତି କରୁଥିବାରୁ ଜନମାନସରେ ଆଲୋଡନ ସୃଷ୍ଟି କରିଛି। ସେହି ପୂର୍ଣ୍ଣଗର୍ଭା ବୈତରଣୀର ଗର୍ଭ ଶୁଷ୍କମୟ ହୋଇପଡିଛି। ବାଲୁକାରାଶିରେ ପରିପୂର୍ଣ୍ଣ ଏହାର ଗର୍ଭରେ ସଂକୀର୍ଣ୍ଣ ପଥରେ ଜଳ ପ୍ରବାହିତ ହେବାରେ ଲାଗିଛି। ଲୋକଙ୍କର ଚାଷ ବାସ, ସ୍ନାନ ତର୍ପଣ ଅଭାବ ପୂରଣ କରିଆସୁଥିବା ଏହି ଜଳରାଶି ଏବେ ଲୋକଙ୍କ ଅଭାବ ପୂରଣ କରିବାରେ ଅକ୍ଷମ। ନଦୀ କୂଳରେ ଗଢିଉଠିଥିବା ବଜାର ଘାଟ ପାଇଁ ଚିନ୍ତାଜନକ ସ୍ଥିତି ସୃଷ୍ଟି କରୁଥିବା ମଧ୍ୟ ପରିଲକ୍ଷିତ ହୋଇଛି। ଚା’ ଜଳଖିଆ ଠାରୁ ଆରମ୍ଭ କରି ମାଛ ମାଂସ ଦୋକାନ ଗୁଡିକର ଅଳିଆ ଆବର୍ଜନା ସବୁ ସିଧାସଳଖ ନଦୀ ଗର୍ଭକୁ ଯାଇ ଏହାର ସୁମଧୁର ଜଳରାଶିକୁ ଦୂଷିତ କରିବାରେ ଲାଗିପଡିଛି। ସ୍ଥାନୀୟ ପ୍ରଶାସନିକ ସ୍ତରରେ ଏସବୁ ପ୍ରତି ଦୃଷ୍ଟି ଦିଆଯାଇ କିଛି ଗୋଟେ ମାଷ୍ଟର ପ୍ଲାନ୍ କରାଗଲେ ହୁଏତ ନଦୀ ଜଳର ପ୍ରଦୂଷଣ ରୋକି ହୁଅନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ସେହିପରି ନଦୀଶଯ୍ୟା ଏବେ ବାଲିରେ ପରିପୂର୍ଣ୍ଣ ହେବାକୁ ଲାଗିଲାଣି। ଫଳରେ ନଦୀର ଜଳ ଧାରଣର କ୍ଷମତା ଧୀରେ ଧୀରେ କମିବାରେ ଲାଗିଛି। ନଦୀବଢି ସମୟରେ ଜଳରାଶି ସହଜରେ ନିଷ୍କାସିତ ହୋଇ ନ ପାରି ନଦୀବନ୍ଧ ପ୍ରତି ଯଥେଷ୍ଟ ବିପଦ ସୃଷ୍ଟି କରୁଛି। ଯେଉଁ କେତେକ ସ୍ଥାନରେ ଟେଣ୍ଡର ମାଧ୍ୟମରେ ବାଲି ଉତ୍ତୋଳନ କରିବାକୁ ଅନୁମତି ମିଳୁଛି ସେସବୁ ସ୍ଥାନରେ ନଦୀର ପତ୍ତନ ସନ୍ତୋଷ ଜନକ ରହୁଥିବାବେଳେ ଅନ୍ୟସ୍ଥାନ ଗୁଡିକରେ ବାଲୁକା ଶଯ୍ୟା ନଦୀ ପତ୍ତନକୁ ହ୍ରାସ କରୁଛି। ପ୍ରଶାସନିକ ସ୍ତରରେ ଉଦ୍ୟମ ହେଲେ ବାଲି ଶଯ୍ୟାକୁ ଉଠାଯାଇ ନଦୀର ପତ୍ତନକୁ ନିୟନ୍ତ୍ରଣକୁ ଅଣାଯାଇପାରନ୍ତା ବୋଲି ମତ ପ୍ରକାଶ ପାଉଛି।
ଏକ ଚିନ୍ତା ଜନକ ବିଷୟ ସାଜିଛି ବୈତରଣୀ ନଦୀର ସୁମଧୁର ଜଳକୁ ପାଇପ୍ ମାଧ୍ୟମରେ ଆଇରନ ଯୋଗାଣ କାର୍ଯ୍ୟରେ ବ୍ୟବହାର କରାଯିବା। ପାଇପ୍ ମାଧ୍ୟମରେ ବୈତରଣୀ ଜଳକୁ ବ୍ୟବହାର କରାଯାଇ ଲୁହା ଗୁଣ୍ଡ ପରିବହନ କରିବା ଦ୍ୱାରା ଏହାର ଜଳସ୍ତର ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଅନ୍ୟପକ୍ଷରେ ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳକୁ ସଂରକ୍ଷଣ କରାଯାଇ ବିଭିନ୍ନ କାର୍ଯ୍ୟରେ ବ୍ୟବହାର ଉପଯୋଗୀ କରିବାର ବ୍ୟବସ୍ଥା ହୋଇଥିଲେ ବି ବ୍ୟାରେଜ ତା’ର ଲକ୍ଷ୍ୟ ଠାରୁ ବହୁ ଦୂରରେ ଥିବା ଭଳି ପରିଲକ୍ଷିତ ହୋଇଛି। ବହୁବିଧ ସମସ୍ୟାକୁ ନେଇ ବୈତରଣୀ ତା’ର ପୂର୍ବ ଗରିମାକୁ ଭୂଲିବାକୁ ବସିଛି।