କୁଶେଇ ସେତୁର ବିମ୍‌ ଖସିଲା

କେନ୍ଦୁଝର/ଆନନ୍ଦପୁର,୨୨ା୧୧ (ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ ବେଲବାହାଳି ନିକଟସ୍ଥ କୁଶେଇ ନଦୀ ଉପରେ ନିର୍ମାଣାଧୀନ ଦ୍ୱିତୀୟ ସେତୁର ବିମ୍‌ ଖସି ପଡ଼ିଛି। ଦୁର୍ଘଟଣାରେ ୩ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଗଞ୍ଜାମ ଜିଲା ବ୍ରହ୍ମପୁରର ସନାକର ଦାସ, ହିଞ୍ଜିଳିକାଟୁର ଗଗନ ମହାନ୍ତି ଓ ପଶ୍ଚିମବଙ୍ଗର ରାଜ୍ୟର ଉମାର ଫାରୁକ୍‌ ବୋଲି ଜଣାପଡ଼ିଛି। ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲେ ହେଁ ଏହାକୁ ନେଇ ତନାଘନା ଆରମ୍ଭ ହୋଇଛି। କ୍ରେନ୍‌ରେ ତ୍ରୁଟି ଦେଖାଦେବାରୁ ଏଭଳି ଘଟଣା ଘଟିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।
ସୂଚନା ମୁତାବକ, କେନ୍ଦୁଝର ଜିଲାର ଲାଇଫ୍‌ଲାଇନ କୁହାଯାଉଥିବା ପାଣିକୋଇଲି-ରିମୁଳି ଏନ୍‌ଏଚ୍‌ ୨୦ର ବେଲବାହାଳି ନିକଟ କୁଶେଇ ନଦୀ ଉପରେ ଏହି ପୋଲ ନିର୍ମାଣ ହେଉଛି। ସୋମବାର ସକାଳ ୧୦ ା ସମୟରେ ଏକ କଂକ୍ରିଟ୍‌ ବିମ୍‌କୁ ପୋଲ ଉପରକୁ କ୍ରେନ୍‌ରେ ଉଠାଯାଉଥିଲା। ଏହି ସମୟରେ ପୋଲର ପିଲାର ଓ ପିଲାର କ୍ୟାପ ଭାଙ୍ଗିଯାଇଥିଲା। ଫଳରେ ବିମ୍‌ଟି ପ୍ରାୟ ୩୦ ଫୁଟ ତଳକୁ ଖସି ଧ୍ୱସ୍ତ ହୋଇଯାଇଛି। କାର୍ଯ୍ୟରତ ୩ ଶ୍ରମିକ ଗୁରୁତର ହୋଇଛନ୍ତି। ଏ ନେଇ ଘଷିପୁରା ଥାନା ଅଧିକାରୀ ବିକ୍ରମ ଭୁୟାଁ କହିଛନ୍ତି, ତିନି ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। କିନ୍ତୁ ଅଦ୍ୟାବଧି କୌଣସି ଲିଖିତ ଅଭିଯୋଗ ହୋଇନି। ଅଭିଯୋଗ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ଏଆରଏସଏସ ସଂସ୍ଥାର ଅଧିକାରୀ ନୀହାର ଦାସ କହିଛନ୍ତି, କାମ ଠିକ୍‌ ଭାବରେ ଚାଲିଛି। ବିମ୍‌କୁ ଉଠାଯାଇ ରଖାଯାଉଥିବା ବେଳେ କ୍ରେନ୍‌ର ଚେନ୍‌ ଛିଣ୍ଡି ଯିବାରୁ ବିମ୍‌ଟି ଖସି ପଡ଼ିଥିଲା।
ସ୍ଥାନୀୟ ଜିଲା ପରିଷଦ ସଭ୍ୟା ଅସୀମା ମିଶ୍ର କହିଛନ୍ତି, ଦୀର୍ଘ ବର୍ଷ ହେଲା କାମ ଚାଲିଥିଲେ ହେଁ ନିର୍ମାଣ ସରୁନାହିଁ। ନିମ୍ନମାନର କାମ ଓ ଉପଯୁକ୍ତ ତଦାରଖ ଅଭାବରୁ ଏଭଳି ଘଟିଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ। ଏଥିସହ ଦୁର୍ଘଟଣା ପରେ ପୋଲଟି ସମ୍ପୂର୍ଣ୍ଣ ଭାବରେ ଦୁର୍ବଳ ହୋଇ ପଡ଼ିଥିବାରୁ ଏହାକୁ ପୁଣିଥରେ ନିର୍ମାଣ କରିବାକୁ ସେ ଦାବି କରିଛନ୍ତି।

Share