Categories: ଜାତୀୟ

କୃଷି ଆଇନ ବିରୋଧରେ ପଞ୍ଜାବରେ ବିଲ୍‌ ପାସ୍‌

ଚଣ୍ଡିଗଡ଼, ୨୧ା୧୦: କେନ୍ଦ୍ରର କୃଷି ଆଇନକୁ ବିରୋଧକରି ପଞ୍ଜାବ ବିଧାନସଭାରେ ସର୍ବସମ୍ମତିକ୍ରମେ ୪ଟି ବିଲ୍‌ ପାସ୍‌ ହୋଇଛି। ଗୃହରେ ଏନେଇ ପ୍ରାୟ ୫ ଘଣ୍ଟାକାଳ ଆଲୋଚନା କରାଯାଇଥିଲା। ଏଥିରେ ଭାଜପା ବିଧାୟକମାନେ ଅଂଶଗ୍ରହଣ କରି ନ ଥିଲେ। କଂଗ୍ରେସ ସରକାରଙ୍କ ଦ୍ୱାରା ଆଗତ ବିଲ୍‌କୁ ଶିରୋମଣି ଅକାଳୀ ଦଳ (ଏସ୍‌ଏଡି), ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଓ ଲୋକ ଇନ୍‌ସାଫ୍‌ର ବିଧାୟକମାନେ ସମର୍ଥନ କରିଥିଲେ। ପୂର୍ବରୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ବିଧାନସଭାରେ ଏହି ବିଲ୍‌କୁ ସର୍ବସମ୍ମତିକ୍ରମେ ସମର୍ଥନ କରିବା ଲାଗି ଅନୁରୋଧ କରିଥିଲେ। କେନ୍ଦ୍ର ସରକାର କୃଷି ବିଲ୍‌ କୃଷକଙ୍କ ଆୟ ବୃଦ୍ଧିକରିବା ସହ ମଧ୍ୟସ୍ଥଙ୍କ ହସ୍ତକ୍ଷେପରୁ ମୁକ୍ତ ହୋଇପାରିବ ବୋଲି କହିଥିଲେ। ହେଲେ ଏହା କୃଷକ ବିରୋଧୀ ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଥିଲେ। କୃଷି ଓ କୃଷକଙ୍କ ହିତ ସହ ସାଲିସ୍‌ କରାଯିବ ନାହିଁ ବୋଲି ମତ ଦେଇଥିଲେ। ପ୍ରକାଶଥାଉ କି, କେନ୍ଦ୍ରର କୃଷି ଆଇନକୁ ପଞ୍ଜାବ, ହରିୟାଣା ସମେତ ଦେଶର କୃଷକମାନେ ବିରୋଧ କରିବା ସହ ବିକ୍ଷୋଭ କରିଆସୁଛନ୍ତି।

Share