ଲାଞ୍ଜିଗଡ଼/ଭବାନୀପାଟଣା, ୪।୧୦(ଡି.ଏନ୍.ଏ./ସ୍ବ.ପ୍ର.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ସିଡିପିଓ (ସମନ୍ବିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରୀ) ମୀନା କୁମାରୀ ପାତ୍ର ଭିଜିଲାନ୍ସ ଦ୍ୱାରା ସୋମବାର ଗିରଫ ହୋଇଛନ୍ତି। ମଙ୍ଗଳବାର ତାଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯିବ। ସିଡିପିଓ ମୀନା ଲାଞ୍ଜିଗଡ଼ ବ୍ଲକର ୫ଟି ଛତୁଆ ପ୍ରସ୍ତୁତକାରୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି ଗ୍ରୁପ୍)ର ୧୧ ଲକ୍ଷ ୫୯ ହଜାର ଟଙ୍କାର ବିଲ୍ କରାଇଦେବା ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ଏସ୍ଏଚ୍ଜି ଗ୍ରୁପ୍ ସଦସ୍ୟା ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ସୋମବାର ସିଡିପିଓ ଅଫିସରେ ଲାଞ୍ଚ ଟଙ୍କା ଗ୍ରହଣ କରିଥିଲେ। ଏହି ସମୟରେ ପୂର୍ବରୁ ଜଗିରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ। ତାଙ୍କ ନିକଟରୁ ରାସାୟନିକ ପ୍ରଲେପ ଦିଆ ୧୬୦ଟି ୫ଶହ ଟଙ୍କିଆ ନୋଟ ଜବତ ହୋଇଛି। ଭବାନୀପାଟଣା ଭିଜିଲାନ୍ସ ଡିଏସ୍ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଭିଜିଲାନ୍ସ ବିଭାଗର ଟିମ୍ ଚଢାଉ କରିଥିଲେ। ବିଶ୍ୱନାଥପୁର କାର୍ଯ୍ୟାଳୟ, ଭବାନୀପାଟଣା ନକଟିଗୁଡା ବାସଭବନ ଓ କୋମନା ପୈତୃକ ଘରେ ଚଢ଼ାଉ ଜାରି ରହିଛି ବୋଲି କଳାହାଣ୍ଡି ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି।