ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍‌

ଭୋପାଳ, ୨୫।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ରିପୋର୍ଟ ଆସିବା ପରେ ଶିବରାଜ ତାଙ୍କ ସହିତ ମିଳାମିଶା କରିଥିବା ଲୋକଙ୍କୁ ନମୁନା ପରୀକ୍ଷା କରିବା ଲାଗି ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ତାଙ୍କଠାରେ କରୋନା ସଂକ୍ରମଣ ଲକ୍ଷଣ ପ୍ରକାଶ ପାଇଥିବା ସେ କହିଛନ୍ତି। ତାଙ୍କର ଅତି ନିକଟତର ଥିବା ଲୋକେ କ୍ୱାରାଣ୍ଟାଇନ୍‌ରେ ରହିବାକୁ ସେ କହିଛନ୍ତି। କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ସେ ସମସ୍ତ ପ୍ରୟାସ କରିଥିଲେ। ତେବେ ଶେଷରେ ତାଙ୍କଠାରେ କେତେକ ଲକ୍ଷଣ ପ୍ରକାଶ ପାଇଥିବା ସେ କହିଛନ୍ତି। ସେ କୋଭିଡ୍‌-୧୯ ପାଇଁ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା ପାଳନ କରୁଥିବା ସୂଚନା ଦେଇଛନ୍ତି। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସେ ଏଣିକି କରୋନା ସମୀକ୍ଷା ବୈଠକ କରିବେ ବୋଲି ଟୁଇଟ୍‌ କରି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭୋପାଳର ଚିରାୟୁ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିବା ଗୃହମନ୍ତ୍ରୀ ନରୋତ୍ତମୋ ମିଶ୍ର ସୂଚନା ଦେଇଛନ୍ତି।

Share