Categories: ଜାତୀୟ

ପୁତ୍ର ମୋହରେ ଅନ୍ଧ କଂଗ୍ରେସ: ଦଳରେ ବାଡ଼ ଡିଆଁ ଆଶଙ୍କା ଘନଉଛି !

ନୂଆଦିଲ୍ଲୀ, ୩୦।୮: କଂଗ୍ରେସରେ ଘର କନ୍ଦଳ ଏବେ ପଦାକୁ ଆସିବାରେ ଲାଗିଛି। ଗାନ୍ଧୀ ପରିବାର ଉପରେ ଆଶ୍ରିତ କଂଗ୍ରେସ ଦଳରେ ଚାଲିଥିବା କାମଚଳା ନୀତି ଯୋଗୁ ବହୁ ସଦସ୍ୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅସନ୍ତୋଷ ଲାଗି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଚିନ୍ତା ବଢ଼ିଚାଲିଛି। ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପକ୍ଷ ଛାଡ଼ିବା ପରେ ସୋନିଆ କାମଚଳା ଅଧ୍ୟକ୍ଷା ଭାବେ କାର୍ଯ୍ୟ କରୁଛନ୍ତି। ତେବେ ଏହା ଦ୍ୱାରା ଦଳର କ୍ଷତି ହେଉଛି ବୋଲି ଗୁଲାମ ନବୀ ଆଜାଦ୍‌, କପିଲ ସିବଲ, ଆନନ୍ଦ ଶର୍ମା, ମୁକୁଲ ଓ୍ବାସନିକ, ମନୀଷ ତିଓ୍ବାରୀ ଆଦି ବରିଷ୍ଠ ନେତା ଅଭିଯୋଗ କରିଛନ୍ତି। ପୁତ୍ର ମୋହରେ ଅନ୍ଧ ହୋଇ କଂଗ୍ରେସ ଜାତୀୟସ୍ତରୀୟ ନିଷ୍ପତ୍ତି ଗ୍ରହଣ କରିବାକୁ ପଛାଇ ଯାଉଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ରାହୁଲ ଦଳକୁ ଏକ ନୂତନ ଦିଗ ଦେବାରେ ଅସମର୍ଥ ଥିବା ମଧ୍ୟ ଚର୍ଚ୍ଚା ହେଉଛି। ରାହୁଲ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିବାରେ ଲାଗିଛନ୍ତି। ଏହାଦ୍ୱାରା ଲାଭ ପରିବର୍ତ୍ତେ ଦଳର କ୍ଷତି ହେବାରେ ଲାଗିଛି। ରାହୁଲଙ୍କ ଏଭଳି ଅଦୂରଦୃଷ୍ଟି ମନୋଭାବକୁ ଦଳର ବରିଷ୍ଠ ନେତା ପସନ୍ଦ କରୁ ନ ଥିବା କୁହାଯାଉଛି। ଫଳରେ ଦଳରେ ବାଡ଼ ଡିଆଁ ଆଶଙ୍କା ଘନଉଥିବା ଚର୍ଚ୍ଚା ହେଉଛି। ଦଳର ଏଭଳି ସ୍ଥିତି ଦେଖି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି ନେତା ବାଡ଼ ଡେଇଁ ଅନ୍ୟ ଦଳକୁ ଯାଇଛନ୍ତି। ଆଗାମୀ ଦିନରେ ଏହା ପୁଣି ହେବାର ଶଙ୍କା ବରିଷ୍ଠ ନେତାଙ୍କୁ ଘାରିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Share