କରୋନା ଆକ୍ରାନ୍ତ ଛାତ୍ରଙ୍କ ପାଠପଢ଼ା ନିଶା:ହସ୍ପିଟାଲ ବେଡ୍‌ରେ ଦେଲେ ପରୀକ୍ଷା

ଜବଲପୁର, ୧୮।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଲକ୍‌ ଡାଉନ୍‌ ଜାରି ରହିଛି। ଫଳରେ ସ୍କୁଲ କଲେଜ ବନ୍ଦ ରହିଛି। ତେବେ ପାଠପଢ଼ା ଏବଂ ପରୀକ୍ଷା ଅନ୍‌ଲାଇନ୍‌ରେ କରାଯାଉଛି। ମଧ୍ୟପ୍ରଦେଶ ଜବଲପୁରରେ କେତେକ ସ୍କୁଲରେ ସୋମବାରଠାରୁ ପରୀକ୍ଷା ଆରମ୍ଭ ହୋଇଛି। ଏପରିସ୍ଥଳେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କ ପାଠପଢ଼ା ପ୍ରତି ଥିବା ନିଶା ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ହେଉଛି। ସ୍ଥାନୀୟ ସାଗର ମେଡିକାଲ କଲେଜର କୋଭିଡ୍‌ ସେଣ୍ଟରରେ ଚିକିତ୍ସିତ ହେଉଥିବା ଛାତ୍ର ଅନୁଜ ପଟେଲ ପରୀକ୍ଷା ଦେବାକୁ ଜିଦ୍‌ ଧରିଥିଲେ। କିନ୍ତୁ ସେ ସ୍କୁଲକୁ ଯାଇପାରିବେ ନାହିଁ। ତେଣୁ ଡାକ୍ତର ଏବଂ ନର୍ସଙ୍କ ଉପସ୍ଥିତିରେ ଅନୁଜ ହସ୍ପିଟାଲ ବେଡ୍‌ରେ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ଦେବାଲାଗି ସେ ଜିଲାପାଳଙ୍କ ଅନୁମତି ଲୋଡ଼ିଥିଲେ। ଜିଲାପାଳ ଆବେଦନ ପତ୍ରକୁ ସ୍କୁଲ ବୋର୍ଡ ନିର୍ଦ୍ଦେଶକ ପି.ଆର୍‌. ତିଓ୍ବାରୀଙ୍କ ପାଖକୁ ପଠାଇ ଦେଇଥିଲେ। ତିଓ୍ବାରୀ ଜିଲା ଶିକ୍ଷା ଅଧିକାରୀଙ୍କୁ ଏନେଇ ନିର୍ଦ୍ଦେଶ ଦେଇଥିଲେ। ପରେ ଅନୁଜଙ୍କୁ ହସ୍ପିଟାଲ ବେଡ୍‌ରେ ପରୀକ୍ଷା ଦେବା ପାଇଁ ଅନୁମତି ମିଳିଥିଲା। ଶିକ୍ଷକଙ୍କ ବଦଳରେ ଡାକ୍ତର ଏବଂ ନର୍ସ ଇନଭିଜିଲେଟର ସାଜିଥିଲେ।

Share