ପ୍ରତି ମିନିଟରେ ଜଣଙ୍କ ମୁଣ୍ଡ ନେଉଛି କରୋନା

ନୂଆଦିଲ୍ଲୀ, ୧୪।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଲଗାତାର ୧୨ ଦିନ ଧରି ଦେଶରେ ପ୍ରତିଦିନ ଏକ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି। ପ୍ରତି ମିନିଟରେ ଦେଶରେ କରୋନା ଜଣଙ୍କର ମୁଣ୍ଡ ନେଉଛି। ସେପ୍ଟେମ୍ବର ୧୧ଠାରୁ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାରରୁ ଅଧିକ ରହୁଛି। ସଂକ୍ରମଣ ତୀବ୍ରବେଗରେ ବ୍ୟାପୁଥିତ୍ବାରୁ ସରକାରଙ୍କ ଚିନ୍ତା ବଢ଼ିଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୨ ହଜାର ୭୧ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ହଜାରେ ୧୩୬ ଜଣଙ୍କ ମୃତ୍ୟୁ ଘଟିଛି। ଇତିମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ ଲକ୍ଷ ୪୬ ହଜାର ୪୨୮ ଛୁଇଁଛିି। ସେହିପରି ମୃତକଙ୍କ ସଂଖ୍ୟା ୭୯ହଜାର ୭୨୨ରେ ପହଞ୍ଚିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ୩୭ ଲକ୍ଷ ୮୦ହଜାର ୧୦୮ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୯ ଲକ୍ଷ ୮୬ ହଜାର ୫୯୮ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଶନିବାର ୯ ଲକ୍ଷ ୭୮ ହଜାର ୫୦୦ ଜଣଙ୍କ ନମୁନା ପରୀକ୍ଷା ହୋଇଛି। ସେହିପରି ସେପ୍ଟେମ୍ବର ୧୩ ସୁଦ୍ଧା ଦେଶରେ ୫ କୋଟି ୭୨ ଲକ୍ଷ ୩୯ ହଜାର ୪୨୮ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର୍‌ ପକ୍ଷରୁ ସୂଚନା ଦିଆଯାଇଛି।

Share