Categories: ଜାତୀୟ

ଦାବେନ୍ଦରଙ୍କୁ ପାକ୍‌ ବ୍ୟବହାର କରୁଥିଲା

ନୂଆଦିଲ୍ଲୀ,୭।୭: ଜମ୍ମୁ-କଶ୍ମୀରର ନିଲମ୍ବିତ ଡିଏସ୍‌ପି ଦାବେନ୍ଦର ସିଂଙ୍କ ସମେତ ୬ ଜଣଙ୍କ ବିରୋଧରେ ଜାତୀୟ ତଦନ୍ତ ଶାଖା(ଏନ୍‌ଆଇଏ) ସୋମବାର ଚାର୍ଜଶିଟ୍‌ ଦାଖଲ କରିଛି। ଏମାନେ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଥିଲେ ବୋଲି ଅଭିଯୋଗ କରାଯାଇଛି। ପାକିସ୍ତାନ ଅଧିକାରୀଙ୍କ ସହ ସିଂ ଯୋଗାଯୋଗ ରଖୁଥିଲେ। ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନର ଅଧିକାରୀଙ୍କ ସହ ସୁରକ୍ଷିତ ସୋସିଆଲ ମିଡିଆ ଜରିଆରେ ଯୋଗସୂତ୍ର ରକ୍ଷାକରି ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ତଥ୍ୟମାନ ପ୍ରଦାନ କରୁଥିଲେ ବୋଲି ଏନ୍‌ଆଇଏ ପକ୍ଷରୁ ଦର୍ଶାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଚାର୍ଜଶିଟ୍‌ରେ ହିଜ୍‌ବୁଲ ମୁଜାହିଦ୍ଦିନ କମାଣ୍ଡର ସୟେଦ ନଭିଦ ମୁସ୍ତାକ ଓରଫ୍‌ ନଭିଦ ବାବୁ, ଇର୍ଫାନ୍‌ ସଫି ମୀର୍‌, ରଫି ଅହମଦ ରାଥର, ବ୍ୟବସାୟୀ ତନ୍‌ବୀର ଅହମଦ ଓ୍ବାନି ଓ ଦଭିଦ୍‌ ବାବୁଙ୍କ ଭାଇ ସୟେଦ୍‌ ଇର୍ଫାନ୍‌ ଅହମଦଙ୍କ ନାମ ରହିଛି। ପାକିସ୍ତାନ ହାଇକମିଶନ ଅଧିକାରୀମାନେ ଇର୍ଫାନ୍‌ ସଫି ମୀର୍‌ଙ୍କୁ ଅର୍ଥଦେଇ ଜମ୍ମୁ-କଶ୍ମୀରରେ ଭାରତ ବିରୋଧୀ ସେମିନାର କରିବା ଲାଗି କହୁଥିଲେ। ପାକିସ୍ତାନ ଯିବା ଲାଗି କଶ୍ମୀର ଯୁବକଙ୍କ ନିମନ୍ତେ ସେ ଭିଜା ଦରଖାସ୍ତ ପ୍ରସ୍ତୁତ କରୁଥିଲେ।

Share